ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି
ଅନୁଗୁଳ – ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ । କେତେବେଳେ ଫେସବୁକ୍ ହ୍ୟାକ୍ କରି ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ବେଳେ ଆକାଉଣ୍ଟ ଖାଲି କରି ଦେଉଛନ୍ତି । ଦଶଦିନ ତଳେ ଅନୁଗୁଳ ଥାନାରେ ୨ଟି ସାଇବର ଠକେଇ ହୋଇଥିଲା । ପୁଲିସ୍ ଏହାର ଥଳକୂଳ ପାଇନଥିବା ବେଳେ ୧୭ ତାରିଖ ସନ୍ଧ୍ୟାରେ ଆଉ ଏକ ବଡ଼ ଧରଣର ସାଇବର ଠକେଇ ହୋଇଛି । ଜଣେ ଯୁବକଙ୍କ ଆକାଉଣ୍ଟରୁ ସାଇବର ଲୁଟେରା , ୨ ଲକ୍ଷ ୮୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ରିତେଶ ଶ୍ରୀବାସ୍ତବ । ସେ ଅନୁଗୁଳ ସହର ଉପକଣ୍ଠ ଗୀତାଗ୍ରାମରେ ଭଡ଼ାରେ ରୁହନ୍ତି । ଏକ ଘରୋଇ ଶିଳ୍ପସଂସ୍ଥାରେ ଚାକିରି କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ହଠାତ୍ ରିତେଶଙ୍କ ଜିଓ ନମ୍ବର ଅଚଳ ହୋଇଯାଇଥିବା ମେସେଜ୍ ଆସିଥିଲା । ତତ୍କ୍ଷଣାତ୍ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ତୁରନ୍ତ ଜିଓ ଆପ୍ ଜରିଆରେ ଜିଓ ନମ୍ବରରେ ୨୦ ଟଙ୍କା ରିଚାର୍ଜ କରିବାକୁ ସାଇବର ଠକ ନିର୍ଦ୍ଦେଶ ଦେଇଥିଲା । ରିଚାର୍ଜ ସହ ମୋବାଇଲ୍ରେ କ୍ବିକ୍ ସପୋର୍ଟ ଆପ୍ ନାମକ ଏକ ଆପ୍ ଇନ୍ଷ୍ଟାଲ୍ କରିବାକୁ କହିଥିଲା । ଏହି ଆପ୍ ଡାଉନ୍ଲୋଡ୍ କରିବାର କିଛି ସମୟ ପରେ ରିତେଶଙ୍କ ଦୁଇଟି ଆକାଉଣ୍ଟରୁ ଯଥାକ୍ରମେ ଲକ୍ଷେ ୨୯ ହଜାର ଓଲକ୍ଷେ ୪୯ ହଜାର କଟି ଯାଇଥିଲା । ଆଖି ପିଛୁଳାକେ ଆକାଉଣ୍ଟ ଖାଲି ହୋଇଯିବା ଦେଖି ରିତେଶଙ୍କ ପାଦତଳୁ ମାଟି ଖସି ଯାଇଥିଲା । ସେ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।