ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା

ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା

ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି

ଛେଣ୍ଡିପଦା – ପ୍ରାକୃତିକ ସମ୍ପଦର ସଦ୍‌ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ । ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ ଯୋଗାଏ। କିନ୍ତୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୬ଟି ପଞ୍ଚାୟତ ବସନ୍ତପୁର, ମାଛକୁଟା, ପାତ୍ରପଡ଼ା, ଶିମିଳିପାଳ, ରାଇଝରଣ ଓ କଙ୍କରେଇବାସୀଙ୍କ କ୍ଷେତ୍ରରେ ଏହାର ବିପରୀତ ଫଳ ଦେଖିବାକୁ ମିଳିଛି। ମାଟି ତଳେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ଟନ୍‌ କୋଇଲା ଏହି ଅଞ୍ଚଳର ବିକାଶରେ ଏଯାଏ ବାଧକ ସାଜିଆସିଛି। ଜମି ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ଦୀର୍ଘ ୧୦ ବର୍ଷ ହେଲା ଏହି ପଞ୍ଚାୟତଗୁଡ଼ିକରେ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନା ଲାଗୁ ହୋଇପାରୁ ନାହିଁ। ଫଳରେ ରାସ୍ତାଠାରୁ ସ୍ବାସ୍ଥ୍ୟସେବା ଯାଏ ପ୍ରତିଟି କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି।
ବସନ୍ତପୁର ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ୨୦୦୪ରେ ଛେଣ୍ଡିପଦାରେ ଥିବା କୋଲ୍‌ ବ୍ଲକ ଆବଣ୍ଟନ କରାଯାଇଥିଲା। ଫଳରେ କମ୍ପାନୀ ପକ୍ଷରୁ ଜମି ଅଧିଗ୍ରହଣ ସହ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅଞ୍ଚଳର ବହୁ ଲୋକ କମ୍ପାନୀକୁ ଜୋର୍‌ଦାର ବିରୋଧ କରିଥିଲେ। ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଅଡ଼ି ବସିଥିଲେ। ଏଥିଯୋଗୁ କାର୍ଯ୍ୟ ଆଗେଇପାରି ନ ଥିଲା। ଏଣେ ଖଣି ଅଞ୍ଚଳ ଦର୍ଶାଇ ସରକାର ଏଠାରେ ଉନ୍ନୟନ କାର୍ଯ୍ୟ ବନ୍ଦ କରିଦେବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଥିଲା। ତେବେ ଖଣି ନିଲାମ ପ୍ରକ୍ରିୟାରେ ଦୁର୍ନୀତି ନେଇ ମାମଲା ସୁପ୍ରିମକୋର୍ଟକୁ ଯିବାପରେ ସବୁକିଛି ଠପ୍‌ ହୋଇଯାଇଥିଲା। ୨୦୧୬ରେ ସର୍ବୋଚ୍ଚ ଅଦାଲତ ଉକ୍ତ କୋଲ୍‌ ବ୍ଲକ ଆବଣ୍ଟନକୁ ଅସିଦ୍ଧ ଘୋଷଣା କରିବାରୁ ବିସ୍ଥାପନ ଏବଂ ଜମି ଅଧିଗ୍ରହଣ କରିବାକୁ ବୁଝାଶୁଝା କରୁଥିବା କମ୍ପାନୀ ଏଠାରୁ ଓହରିଯାଇଥିଲା। ଫଳରେ ଅଞ୍ଚଳବାସୀ ନା ବିସ୍ଥାପିତ ହୋଇପାରିଛନ୍ତି ନା ସେବେଠୁ ସରକାରୀ ଯୋଜନାର ସୁଫଳ ପାଇପାରୁଛନ୍ତି। ଦୀର୍ଘ ୧୦ ବର୍ଷ ହେଲା ଏପରି ଅବସ୍ଥା ଲାଗି ରହିଥିବାରୁ ପଞ୍ଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରି ନାହିଁ। ପଞ୍ଚାୟତ ଆକାଉଣ୍ଟରେ କୋଟି କୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗୁନାହିଁ। ବିଭିନ୍ନ ଗ୍ରାମର ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗରିବ ଖଟିଖିଆଙ୍କ ଭଙ୍ଗା କୁଡ଼ିଆ ସରକାରୀ ଯୋଜନାରେ କୋଠା ହୋଇପାରୁ ନାହିଁ। ସ୍କୁଲ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି। କବାଟ ଝରକାରେ ଉଇ ଲାଗି ନଷ୍ଟ ହୋଇଗଲାଣି। ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ନାହିଁ।

ଏ ନେଇ ଜିଲା ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଜମି ଅଧିଗ୍ରହଣ ଅଞ୍ଚଳ ଯୋଗୁ ସରକାର ସେଠାରେ ଉନ୍ନୟନ କାର୍ଯ୍ୟ କରିପାରୁ ନାହାନ୍ତି। କିନ୍ତୁ ଦୀର୍ଘ ବର୍ଷ ଧରି ଲୋକେ ବଞ୍ଚିତ ହୋଇଥିବାରୁ ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ନିବେଦନ କରାଯିବ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply