ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ତାଳଚେର – ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ଡାକରା ଦିଆ ଯାଇଥିଲା । ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି(ସୋମବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ପାଇଁ ଡାକରା ଦିଆ ଯାଇଥିଲା । ବିଶିଷ୍ଟ ନାଗରିକ ଭୂପେନ ଥମ୍ବ, ପୂର୍ଣ୍ଣଚନ୍ଦ୍ର ସାହୁ, ଦାଶରଥୀ ସାହୁ ଓ ପଦ୍ମ ଚରଣ ସାମଲ ପ୍ରମୁଖଙ୍କ ନେତୃତ୍ବରେ ତାଳଚେରରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରା ଯାଇଥିଲା । ସୂଚନା ଅନୁସାରେ ,ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର)ରେ ୨୦୨୧-୨୨ଶିକ୍ଷା ବର୍ଷରୁ ନାମଲେଖା ହେବ ବୋଲି କହିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ। ଗତବର୍ଷ ନଭେମ୍ବର ୧୯ ତାରିଖରେ ମେଡିକାଲ କଲେଜ ସଂପର୍କରେ ସମୀକ୍ଷା ପରେ ଏଠାରେ ୧୦୦ ଏମବିବିଏସ୍ ଆସନରେ ପାଠପଢା ଆରମ୍ଭ ହେବ ବୋଲି କୁହାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ମେଡ଼ିକାଲ କଲେଜ କିଏ ଚଳାଇବ ତାହା ବି ସ୍ଥିର ହୋଇପାରିଲାନି । ତେଣୁ ୨୦୨୧-୨୨ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ ହେବା ଆଶା ମଉଳି ଯାଇଥିଲା । ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବା ନେଇ ବର୍ଷ ପରେ ବର୍ଷ ବିତୁଥିବାରୁ ଏହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ବି ବଢିବାରେ ଲାଗିଛି । ତାଳଚେରରେ ହେବାକୁ ଥିବା ମେଡିକାଲ କଲେଜ କୋଠା ଏମ୍ସିଏଲ ଦ୍ବାରା ନିର୍ମାଣ କରାଯାଇଛି। ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଏହାକୁ ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହେବାପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ । ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍ବିବିଏସ ପାଠ୍ୟକ୍ରମ ପାଇଁ ପାଠପଢା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ପରେ ୨୦୧୬ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା। ଏପରିକି ୨୦୧୯ରେ ଏହି ଏକାଡେମିକ୍ କୋଠାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ତେଣୁ ସମସ୍ତଙ୍କର ଆଶା ଥିଲା ୨୦୧୯-୨୦ ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢା ସହ ଚିକିତ୍ସା ସୁବିଧା ଆରମ୍ଭ ହେବ । କିନ୍ତୁ ବିଭିନ୍ନ କାରଣରୁ ଏହା ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଏପରିକି ନିକଟରେ ଏମସିଏଲ ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ହେବା ପରେ ରାଜ୍ୟ ସରକାର ଏହାକୁ ପରିଚାଳନା କରିବାକୁ ରାଜି ହୋଇଥିଲେ । ତେବେ ଏହା ଭିତରେ ଦୁଇ ମାସ ବୀତି ଯାଇଛି । କିନ୍ତୁ ମେଡିକାଲ କଲେଜ ଚାଲୁ ହେବା ନେଇ କୌଣସି ଅଗ୍ରଗତି ହେଉ ନାହିଁ । ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଥିଲା । ଯାହାକୁ ତାଳଚେର ବସ ମାଲିକ ସଂଘ , ଟ୍ରକ ମାଲିକ ସଂଘ , ବାର ଆସୋସିଏସନ ମଧ୍ୟ ସମର୍ଥନ କରିଥିଲେ । ତେବେ ପୁଲିସ ମଧ୍ୟାହ୍ନରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୨୦ ରୁ ଊର୍ଦ୍ଧ୍ଵଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ତାଳଚେର ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।

What’s your Reaction?
+1
0
+1
1
+1
0
+1
0
+1
2
+1
0
+1
0

Leave a Reply