କିନ୍ନର ମାନେ ମଧ୍ୟ ସମ୍ମାନପୂର୍ଣ୍ଣ ଜୀବନ ଵଞ୍ଚିବା ଆବଶ୍ୟକ – କିନ୍ନର ମୀରା ପରିଡା

କିନ୍ନର ମାନେ ମଧ୍ୟ ସମ୍ମାନପୂର୍ଣ୍ଣ ଜୀବନ ଵଞ୍ଚିବା ଆବଶ୍ୟକ – କିନ୍ନର ମୀରା ପରିଡା

ଅନୁଗୁଳ – ବିୟଣ୍ତ୍ ସ୍ମାଇଲ୍ ଫାଉଣ୍ଡେସନ ତାର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ କଳାକେନ୍ଦ୍ରଠାରେ ପାଳନ କରିଛି । ନୂତନ ଭାବରେ ଗଠିତ ହୋଇଥିବା ଏହି ସଂଗଠନ ଦ୍ଵାରା ପବିତ୍ର ରକ୍ଷା ବନ୍ଧନ ବା ବଳଭଦ୍ର ଭଗବାନଙ୍କ ଜନ୍ମ ଦିବସର ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭା କ୍ଷେତ୍ର ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବା ବେଳେ , ଓଡିଶା କିନ୍ନର ସଂଘର ସଭାପତି ସ୍ବାଧ୍ଵୀ ମହାମଣ୍ତଳେଶ୍ବର କିନ୍ନର ମୀରା ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ କେବଳ ଆଜି ନୁହେଁ ବିଗତ ଦିନରେ ମଧ୍ୟ କିନ୍ନର ମାନେ ସମାଜରେ କ୍ରୀଡା , କଳା , ଶିକ୍ଷା , ସରକାରୀ ସେବା ତଥା ପ୍ରଶାସନିକ ସେବା ଭଳି ବିଭିନ୍ନ ବର୍ଗରେ ସଫଳତା ହାସଲ କରି ପ୍ରତିଷ୍ଠା ଲାଭ କରିପାରିଛନ୍ତି ବୋଲି ମୁଖ୍ୟ ଅତିଥି ସାସଂଦ ଶ୍ରୀ ସାହୁ ତାଙ୍କ ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । ଓଡ଼ିଶାର ପ୍ରଥମ ଜିଲ୍ଲା ଭାବରେ ଅନୁଗୁଳ ଜିଲ୍ଲା କିନ୍ନର ମାନଙ୍କ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସମ୍ମାନ ଦେଇଥିବା ମତ ପ୍ରକାଶ କରିଥିଲେ କିନ୍ନର ମୀରା । ଯେତେବେଳେ ପରିବାର ବା ସମାଜ କିନ୍ନର ମାନଙ୍କୁ ପ୍ରତ୍ୟାଖ୍ୟାନ କରିଥାଏ ସେଭଳି ସମୟରେ ତୃତୀୟ ଲିଙ୍ଗଙ୍କର ମଧ୍ୟ ସମାଜରେ ବଞ୍ଚିବାର ସମାନ ଅଧିକାର ରହିଛି ତାହା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିପାରିଛନ୍ତି ଓ ସେମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ସେଥିପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଅଛୁ ବୋଲି କିନ୍ନର ମୀରା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ କିନ୍ନର ମାନେ ରୋଗୀ ସେବା , ରକ୍ତଦାନ, ଶିକ୍ଷା ଦାନ , ଅସହାୟ ବା ଯତ୍ନ ସୁରକ୍ଷା ଲୋଡୁଥିବା ଶିଶୁ ମାନଙ୍କ ସେବାରେ ମଧ୍ୟ ସମାଜ ନିଜର ଜୀବନ ଉତ୍ସର୍ଗୀକୃତ କରିବା ସହିତ ସାମାଜିକ ଦାୟୀତ୍ବ ତୁଲାଇବାର ପରାମର୍ଶ ଦେଇଥିଲେ । ଶେଷରେ ଉପସ୍ଥିତ କିନ୍ନର ମାନଙ୍କୁ ସୁଖା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ , ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ , ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ମହାସଚ୍ଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଵାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ୍ କୁମାର ଦାଶ ପରିଚାଳନା କରିଥିବା ବେଳେ ବିୟଣ୍ଡ ସ୍ମାଇଲର ଅଧ୍ୟକ୍ଷ ଗଦାଧର ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ କରୋନା କାଳରେ ରୋଗୀ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅନୁଗୁଳର କିନ୍ନର ଚିନ୍ମୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

What’s your Reaction?
+1
0
+1
2
+1
0
+1
0
+1
7
+1
0
+1
0

Leave a Reply