ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା

ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ ମୁଣ୍ଡାଢିପର ସୁନୀଲ କୁମାର ସାହୁଙ୍କ ତିନି ମାସର ଯାଆଁଳା ଭାଇ ଭଉଣୀଙ୍କୁ କେହି ଅମାନୁଷିକ ଭାବରେ କୂଅରେ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତିନିମାସ ତଳେ ବନ୍ତଳା ଥାନା ମୁଣ୍ଡାଢ଼ିପର ସୁନୀଲ କୁମାର ସାହୁ ଓ ତପସ୍ୱିନୀ ସାହୁଙ୍କ ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଥିଲେ । ବିବାହର ପ୍ରାୟ ୧୧ ବର୍ଷ ପରେ ଉଭୟଙ୍କ ଏପରି ଦୁଇ ସନ୍ତାନ ଜନ୍ମ ହେବା ଯୋଗୁଁ ଏହି ଦମ୍ପତିଙ୍କ ସହିତ ପରିବାର ଲୋକ ଖୁସିରେ ଥିଲେ । ପୁଅ ନାଁ ଦେଇଥିଲେ ସାଇ ଓ ଝିଅ ନାଁ ଶ୍ରଦ୍ଧା ରଖା ଯାଇଥିଲା। ସୁନୀଲ ଅନୁଗୁଳର ଏକ ଶିଳ୍ପ କାରଖାନା ନିକଟରେ ଦୋକାନ କରିଥିବା ଜଣା ପଡିଛି । ମା’ ତପସ୍ୱିନୀ ଘରେ ଏକା ରହୁଥିଲେ । ବୁଧବାର ସନ୍ଧ୍ୟାରେ ତପସ୍ୱିନୀ ଦୁଇ ପୁଅ ଝିଅଙ୍କୁ ଘରେ ଶୋଇଦେଇ ନିକଟକୁ କ୍ଷୀର ଆଣିବାକୁ ଯାଇଥିଲେ । କିଛି ସମୟ ପରେ ସେ ଘରକୁ ଫେରିବା ବେଳକୁ ଘର ଭିତରେ ଲାଇଟ୍‌ ଗୁଡ଼ିକ ବନ୍ଦ ହୋଇ ରହିଥିଲା । ଶୋଇଥିବା ସ୍ଥାନରେ ସାଇ ଓ ଶ୍ରଦ୍ଧା ନଥିବା ଦେଖି ଘରେ ଖୋଜାଖୋଜି କରିବା ସହ ପାଖ ପଡ଼ୋଶୀଙ୍କୁ ଡାକ ପକାଇଥିଲେ । ସମସ୍ତେ ବହୁ ଖୋଜାଖୋଜି ପରେ ମଧ୍ୟ ଭାଇ ଭଉଣୀଙ୍କ କୌଣସି ପତ୍ତା ପାଇ ନଥିଲେ । ପରେ ପରେ ଘର ନିକଟରେ ଥିବା ଏକ ଖୋଲା କୂଅ ଖୋଜିବା ପରେ ପାଣିରେ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଲୋକମାନେ କୂଅ ମଧ୍ୟରୁ ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଦୁଇ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବନ୍ତଳା ପୁଲିସ ମେଡିକାଲ୍‌ରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ କିଏ କେଉଁ କାରଣରୁ ଏପରି ଅମାନୁଷିକ କାର୍ଯ୍ୟକଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

What’s your Reaction?
+1
0
+1
0
+1
0
+1
1
+1
0
+1
0
+1
0

Leave a Reply