୫.୭୮ କୋଟିରେ ହେବ ସହର ଭିତର ରାଜପଥ ଉନ୍ନତିକରଣ

୫.୭୮ କୋଟିରେ ହେବ ସହର ଭିତର ରାଜପଥ ଉନ୍ନତିକରଣ

ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥର ଉନ୍ନତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବିବରଣୀରୁ ପ୍ରକାଶ ଯେ, ଅନୁଗୁଳ ସହର ଦେଇ ୫୫ ନମ୍ବର ଜାତୀୟ ରାଜପଥ ଯାଇଛି । ତେବେ ଏହି ରାଜପଥଟି କେନ୍ଦ୍ର ସରକାରଙ୍କ ଅଧିନରେ ରହିଥିବା ଯୋଗୁଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ତରଫରୁ ବିଶେଷ ଧ୍ୟନ ଦିଆଯାଉ ନଥିଲା । ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଏଣୁ ଜାତୀୟ ରାଜପଥର କେବଳ ଅନୁଗୁଳ ସହର ଭିତରେ ଥିବା ଅଂଶକୁ ରାଜ୍ୟ ସରକାରଙ୍କ ରାସ୍ତା ଓ କୋଠାବାଡ଼ି ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ରାସ୍ତା ଓ କୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ତରଫରୁ ଚିଠି କରାଯାଇଛି । ରାସ୍ତା ହସ୍ତାନ୍ତର ପୂର୍ବରୁ ଏହାର ଉନ୍ନତିକରଣକୁ ଗୁରୁତ୍ବ ଦିଆଯାଇଛି । ତେବେ ରାଜମାର୍ଗ ପ୍ରାଧିକରଣ ବଦଳରେ ରାସ୍ତାର ଉନ୍ନତିକରଣ ଦାୟିତ୍ବ ନେବ ରାସ୍ତା ଓ କୋଠାବାଡ଼ି ବିଭାଗ । ଏଥି ପାଇଁ ରାଜମାର୍ଗ ପ୍ରାଧିକରଣ ତରଫରୁ ୫କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ରାସ୍ତା ଓ କୋଠାବାଡ଼ି ବିଭାଗକୁ ଟଙ୍କା ହସ୍ତାନ୍ତର ନେଇ ଆବଶ୍ୟକୀୟ ତଥ୍ୟ ମାଗିଛି ରାଜମାର୍ଗ ପ୍ରାଧିକରଣ । ଏସଂପର୍କରେ ଅନୁଗୁଳ ଜିଲାପାଳ, ଅନୁଗୁଳ ଉପଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ସୂଚନା ମିଳିଛି ।

What’s your Reaction?
+1
1
+1
0
+1
0
+1
1
+1
12
+1
1
+1
0

Leave a Reply