ନେତାଙ୍କ ପାଠ କେତେ ?

ନେତାଙ୍କ ପାଠ କେତେ ?

ଅନୁଗୁଳ – ମେ ମାସ ୨୫ ତାରିଖାରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ଅନୁଗୁଳ ଜିଲ୍ଲାରେ ଚଳିତ ନିର୍ବାଚନରେ ରଣାଙ୍ଗନକୁ ମୋଟ୍ ୩୪ ଜଣ ପ୍ରାର୍ଥୀ ଓହ୍ଲାଇଥିବା ବେଳେ ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଚର୍ଚ୍ଚା ଜୋର୍ ଧରିଛି । ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ ହାସଲ କରିଛନ୍ତି । ସେହିପରି ବିଜେଡି ପ୍ରାର୍ଥିନୀ ସଂଯୁକ୍ତା ସିଂହ ପ୍ରାର୍ଥୀମାନେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ୧୯୮୫ ମସିହାରେ ବିଏ କରିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ବନ୍ତଳା କଲେଜରୁ ୧୯୯୩ ମସିହାରେ ବିଏ ପାସ୍‌ କରିଛନ୍ତି । ସେହିଭଳି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ପ୍ରଧାନ ୧୯୯୬ ମସିହାରେ ୟୁନିଭରସିଟି କଲେଜ ଅଫ୍ ଇଞ୍ଜିନିୟରିଂ, ବୁର୍ଲାରୁ ସିଭିଲ୍‌ରେ ମାଷ୍ଟର ଅଫ୍ ଇଞ୍ଜିନିୟରିଂ ହାସଲ କରିଛନ୍ତି । ଏହା ସହ ୧୯୯୯ରେ ସମ୍ବଲପୁର ମହାବିଦ୍ୟାଳୟରୁ ପରିବେଶ ଶିକ୍ଷା ଓ ପରିଚାଳନା ପରୀକ୍ଷାରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ପାସ୍ କରିଛନ୍ତି । ବିଜେପି ପ୍ରାର୍ଥୀ ସଞ୍ଜିବ ସାହୁ ୧୯୮୦ ମସିହାରେ ରେଢ଼ାଖୋଲ ସ୍ଥିତ ଭୀମଭୋଇ କଲେଜରୁ ବିଏ ପାସ୍‌ କରିଥିବା ବେଳେ ୧୯୮୧ରେ ଫକୀରପୁର ସ୍ଥିତ ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜରୁ ବିଇଡି ପାସ୍‌ କରିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଚାଉଳିଆ ୧୯୮୧ ମସିହାରେ ଭୋପାଳ ବୋର୍ଡ୍ ଅଫ୍ ସେକେଣ୍ଡାରୀ ସ୍କୁଲରୁ ଯୁକ୍ତ ୨ ( ସେତେବେଳର ଇଣ୍ଟରମିଡିଏଟ୍) ପାସ୍‌ କରିଛନ୍ତି । ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ଚନ୍ଦ୍ର ଦାସ ଯୁକ୍ତ ୨ ଯାଏଁ ପଢ଼ିଛନ୍ତି । ବ୍ରଜକିଶୋର ୧୯୯୬ରେ ପିବିଏମ ମହାବିଦ୍ୟାଳୟ, ମହାବିରୋଡ୍‌ରୁ ଯୁକ୍ତ ୨ ପାସ୍‌ କରିଥିବା ବେଳେ ପ୍ରଫୁଲ୍ଲ ତାଳଚେର ହିଙ୍ଗୁଳା ମହାବିଦ୍ୟାଳୟରେ ୨୦୦୩ରେ ଯୁକ୍ତ ୨ ପାସ୍‌ କରିଛନ୍ତ । ସେପଟେ ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲ ତାଳଚେର କଲେଜରୁ ୧୯୯୫ରେ ବିଏ ପାସ୍ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଅନୁଗୁଳ କଲେଜରୁ ୧୯୯୦ରେ ବିଏ ପାସ୍‌ କରିଛନ୍ତି । ବିଜେପି ପ୍ରାର୍ଥୀ ଅଗସ୍ତି ବେହେରା ୨୦୦୨ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍ ଏସ୍‌ ସି ପାସ୍ କରିଥିବା ବେଳେ ୨୦୦୬ରେ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ନରୋତ୍ତମ ନାଏକ ୨୦୦୦ ମସିହାରେ ବିଜେବି କଲେଜରୁ ଇଂରାଜୀ ଅନର୍ସରେ ବିଏ ପାସ୍ କରିଛନ୍ତି । ପାଲଲହଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମୁକେଶ କୁମାର ପାଳ ମାଲ୍ୟଗିରି ମହାବିଦ୍ୟାଳୟରୁ ୨୦୦୩ ମସିହାରେ ବିଏସ୍‌ସି ପାସ୍‌ କରିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ୧୯୯୨ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ ପାସ୍ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଫକୀର ମୋହନ ସାମଲ ବାୟୁସେନାରେ ଚାକିରି କରୁଥିବା ବେଳେ ବିଏ ପାସ୍‌ କରିବା ସହିତ ମେକାନିକାଲ୍ ଆଣ୍ଡ୍ ଏରୋନଟିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଛନ୍ତି ।

 

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply