ସରକାରୀ ଯୋଜନାରେ ତ୍ବରାନ୍ବିତକରଣ ପାଇଁ ବିଧାୟକଙ୍କ ସମୀକ୍ଷା

ସରକାରୀ ଯୋଜନାରେ ତ୍ବରାନ୍ବିତକରଣ ପାଇଁ ବିଧାୟକଙ୍କ ସମୀକ୍ଷା

ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ବିଧାୟକ ନଳିନୀକାନ୍ତ ପ୍ରଧାନ । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ସେ ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ପଚାରି ବୁଝିବା ସହ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଗୁରୁତ୍ବ ଦେଇଛନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ସହ ତୃଣମୂଳସ୍ତରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହା ଯେମିତି ପହଞ୍ଚିପାରିବ ସେ ଉପରେ ଗୁରୁତ୍ବ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ କୃଷି, ଜଳସେଚନ, ଉଠା ଜଳସେଚନ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ, ଖାଦ୍ୟଯୋଗାଣ , ଜଙ୍ଗଲ, ସ୍ବାସ୍ଥ୍ୟ, ମହିଳା ବିକାଶ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଶିଳ୍ପ, ବିଦ୍ୟୁତ, ସ୍କୁଲ, ପାନୀୟ ଜଳଯୋଗାଣ ଆଦି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକୁ ଅଧିକ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେଇଥିଲେ ବିଧାୟକ । ଅଚଳ ହୋଇ ପଡ଼ିଥିବା ଉଠାଜଳ ସେଚନ ପଏଣ୍ଟ ଗୁଡ଼ିକ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉପରେ ବୈଠକରେ ସକରାତ୍ମକ ଆଲୋଚନା ହୋଇଥିଲା । ଆଠମଲ୍ଲିକ ଓ କିଶୋରନଗରରେ ଜଳସେଚନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ‌ବିଧାୟକ ପ୍ରସ୍ତାବ ଦେଇଥିଲେ । ଏହା କୃଷିବହୁଳ ଅଂଚଳ ହୋଇଥିବାରୁ ଲୋକଙ୍କ ଆୟ ବଢ଼ାଇବା ପାଇଁ କୃଷି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ବିଭିନ୍ନ ବିଭାଗ ସମନ୍ବୟ ରକ୍ଷା କରି କାମ କରିବାକୁ ସେ କହିଥିଲେ। ସେହିପରି ଦୁର୍ଗମ ଅଂଚଳରେ ଥିବା କିଛି ଗାଁକୁ ରାସ୍ତା ନ ଥିବା ବେଳେ ସବୁଦିନିଆ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ ପ୍ରାରମ୍ଭିକ ଦେଇଥିଲା ବେଳେ ବିଭିନ୍ନ ବିଭାଗର ଅଧିକାରୀମାନେ ସେମାନଙ୍କ ବିଭାଗ ଦ୍ବାରା ଚାଲିଥିବା କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ରଖିଥିଲେ । ବୈଠକରେ ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ ସମେତ ସମସ୍ତ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
1
+1
0
+1
0
+1
0
+1
0
+1
0

Leave a Reply