ଅନୁଗୁଳ – ଅନୁଗୁଳ ସଦର ଥାନା ଛେଳିଆପଡ଼ାର ଭବାନୀ ଶଙ୍କର ଭଞ୍ଜ ଓରଫ୍ ବୁବୁ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୁଲିସ । ଅନୁଗୁଳ ସହରରେ ଗଣେଶ ଭଷାଣୀ ଯୋଗୁଁ ପୁଲିସ ବ୍ୟସ୍ତ ଥିବା ବେଳେ ସହର ଉପକଣ୍ଠରେ ଗଳା କାଟି ହତ୍ୟା ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ୩ଟି ଟିମ୍ ଗଠନ କରି ଶେଷରେ ହତ୍ୟା କରିଥିବା ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟା ଘଟଣାରେ ଆହୁରି ୫ରୁ ଅଧିକ ବ୍ୟକ୍ତିଙ୍କ ସଂମ୍ପୃକ୍ତି ଥିବା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ସୂଚନା ଅନୁସାରେ , ଗତ ୧୪ ତାରିଖ ଦିନ ସଦର ଥାନା ଛେଳିଆପଡ଼ା ବାଇପାସ୍ ନିକଟରେ ଦିନ ଦ୍ବିପହରରେ ଛେଳିଆପଡ଼ା ଗାଁର ଭବାନୀ ଶଙ୍କର ଭଞ୍ଜ ଓରଫ୍ ବୁବୁଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ବୁବୁଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ଚାପଡ଼ାରେ ଗଳା କାଟି ହତ୍ୟା କରାଯାଇଥିଲା । ଏ ସମ୍ପର୍କରେ ବୁବୁଙ୍କ ଭାଇ ଶିବ ଶଙ୍କର ଭଞ୍ଜ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଗତକାଲି ପୁଲିସ୍ ୩ ଅଭିଯୁକ୍ତ ଖମାର ଗାଁର କାଠି ନାଏକ(୨୭) ଓରଫ୍ ଇମାନୁଏଲ୍, ଲାଲକୃଷ୍ଣ ଆଡଭାନୀ(୨୦) ଓରଫ୍ ଲାଲୁ ଓ ଜଣେ ୧୬ ବର୍ଷିୟ ନାବାଳକଙ୍କୁ ଅନୁଗୁଳରୁ ଗିରଫ କରିଥିଲା । ସେମାନଙ୍କୁ ପୁଲିସ୍ ପଚରାଉଚରା କରିବା ପରେ ସେମାନେ ହତ୍ୟା ଘଟଣାକୁ ସ୍ବୀକାର କରିଥିବା ପୁଲିସ କହିଛି । ଜାତୀୟ ରାଜପଥ ୫୫ ର ବାଇପାସ୍ ରାସ୍ତା ନିର୍ମାଣରେ ପଡ଼ୁଥିବା ପାଉଁଶରୁ ସ୍ଥାନୀୟ କେତେକ ଲୋକ ସ୍କ୍ରାପ୍ ସଂଗ୍ରହ କରି ହତ୍ୟା ଅଭିଯୁକ୍ତଙ୍କ ପାଖରେ ବିକ୍ରି କରୁଥିଲେ । ତେବେ ହତ୍ୟା ଅଭିଯୁକ୍ତଙ୍କ ସମତେ ବୁବୁ ମଧ୍ୟ ଲୋକଙ୍କ ଠାରୁ ସ୍କ୍ରାପ ନେଇ ବଅଁରପାଳରେ ଥିବା ଏକ କବାଡ଼ି ଦୋକାନୀଙ୍କୁ ବିକ୍ରି କରୁଥିଲେ । ସ୍କ୍ରାପ୍ ବିକ୍ରି ଦର ନେଇ କାଠି ଓ ବୁବୁଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା । ସେମାନଙ୍କର ପୂର୍ବରୁ ଶତ୍ରୁତା ରହିଥିବା ବେଳେ ସ୍କ୍ରାପ୍ ବିକ୍ରିକୁ ନେଇ ଶତ୍ରୁତା ବଢିଥିଲା । ବୁବୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ କାଠିଙ୍କ ସହିତ ଅନ୍ୟ ଅଭିଯୁକ୍ତମାନେ ଯୋଜନା କରିଥିଲେ । ୧୪ ତାରିଖ ଦିନ ସାଢ଼େ ୨ଟା ବେଳେ ହତ୍ୟାକରୀମାନେ ବ୍ୟବସାୟ ସମ୍ପର୍କୀତ ଆଲୋଚନା ପାଇଁ ବୁବୁଙ୍କୁ ଡାକି ଏକ ବୋଲେରୋ ଗାଡ଼ିରେ ଛେଳିଆପଡ଼ା ବାଇପାସ୍ ରାସ୍ତାକୁ ନେଇ ଚାପଡ଼ାରେ ଗଳା କାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ ରମାକାନ୍ତ ମହାଳିକ ଓ ଆଇଆଇସି ମୃଣାଲ କାଲୋ ସୂଚନା ଦେଇଛନ୍ତି।
What’s your Reaction?
+1
+1
1
+1
1
+1
1
+1
3
+1
1
+1
2