ଛାତ୍ରୀ ଆସିବା ପରେ ସି ସି ଟିଭି ମୋଡିଦେଲେ ଅଧ୍ୟାପକ – ଅଧ୍ୟାପକଙ୍କୁ ଅଡୁଆ ହେଲା କି କ୍ୟାମେରା ?

ଛାତ୍ରୀ ଆସିବା ପରେ ସି ସି ଟିଭି ମୋଡିଦେଲେ ଅଧ୍ୟାପକ – ଅଧ୍ୟାପକଙ୍କୁ ଅଡୁଆ ହେଲା କି କ୍ୟାମେରା ?

ଅନୁଗୁଳ – ଅଧ୍ୟାପକଙ୍କୁ ଅଡ଼ୁଆ ସିସିଟିଭି। ସିସିଟିଭିକୁ ମୋଡ଼ି ଉପରମୁହାଁ କରିଛନ୍ତି। କୋଠରିରେ କ’ଣ ହେଉଛି, ଯେମିତି କେହି ଜାଣି ନପାରିବେ, ସେନେଇ ବେଶ୍ ତତ୍ପର ଜଣାପଡ଼ୁଛନ୍ତି | ହେଲେ ସିସିଟିଭି ମୋଡ଼ିବା ପରର ଦୃଶ୍ୟ ଅନ୍ୟ କ୍ୟାମେରାରେ କଏଦ୍ ହୋଇଛି । ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅଧିକାରୀମାନେ ଅବଗତ ଥିଲେ ମଧ୍ଯ ଘଟଣାକୁ ଚାପି ଦେଇଥିଲେ । ପରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବାରୁ ଘଟଣା ପଦାକୁ ଆସିଛି | ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ସଚ୍ଚିଦାନନ୍ଦ ସାହୁଙ୍କ ଏପରି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୋମବାର ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ତଦନ୍ତ କରିଛି। ସମ୍ପୃକ୍ତ ଅଧ୍ୟାପକ ସିସିଟିଭି ଆଢୁଆଳରେ କ’ଣ କରୁଥିଲେ, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ରୁସା ଦାୟିତ୍ବରେ ଥିବା ଅଧ୍ୟାପକ ଶ୍ରୀ ସାହୁ ଗତ ଫେବ୍ରୁଆରୀ ୧୯ ତାରିଖରେ ସେହି କୋଠରିରେ ଲାଗିଥିବା ସିସିଟିଭିକୁ ମୋଡ଼ି ଉପରମୁହାଁ କରିଦେଇଥିଲେ | ଫଳରେ କେବଳ କୋଠରିର ଛାତ ଦେଖାଯାଉଛି। କିଛି ସମୟ ପରେ ଜଣେ ଛାତ୍ରୀଙ୍କ ସହ ସମ୍ପୃକ୍ତ ଅଧ୍ୟାପକ ସେହି ରୁମ୍ କୁ ଯାଉଥିବା ଏବଂ ଅନ୍ୟ ଜଣେ ବାହାରେ ଅପେକ୍ଷା କରିଥିବା ସିସିଟିଭିରେ କଏଦ୍ ହୋଇଥିବା ଜଣାପଡ଼ିଛି। ଅଧ୍ୟାପକଙ୍କ ଏପରି କାର୍ଯ୍ୟ ସନ୍ଦେହ ହେବାରୁ ସେହି ସମୟରେ କଲେଜ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରିଥିଲେ I ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପ୍ରାୟ ୭ରୁ ୮ଜଣ ଅଧିକାରୀ ଏହାର ଭିଡିଓ ଦେଖିଥିଲେ। ହେଲେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ। ବରଂ ଚାପିଦେବାକୁ ଉଦ୍ୟମ କରି ବିଭାଗକୁ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରିନଥିଲେ। ପରେ ଏନେଇ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ବଡ଼ କଥା ହେଲା, ସମ୍ପୃକ୍ତ ଅଧ୍ୟାପକ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଇଣ୍ଟରନାଲ ପରୀକ୍ଷାରେ ଫେଲ୍ କରିବାର ଭୟ ଦେଖାଇ ଫାଇବା ଉଠାଉଥିବା ପରି ଗୁରୁତର ଅଭିଯୋଗ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କାହିଁକି ସମ୍ପୃକ୍ତ ଅଧ୍ୟାପକ ସିସିଟିଭିକୁ ଏକାଧିକବାର ମୋଡ଼ି ଉପରମୁହାଁ କଲେ ଏବଂ ଅଧ୍ଯକ୍ଷ ଜାଣିବା ପରେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ଉଚିତ ତଦନ୍ତ କରାଯାଇ ଦୋଷୀ ଅଧ୍ୟାପକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର । ସେପଟେ କଲେଜ ଅଧ୍ୟକ୍ଷଙ୍କ କହିବା କଥା ଟିମ ତଦନ୍ତ କରି ଯାଇଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇ ପାରିବ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply