ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ ଯୁବକକୁ ୭ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା ( ଜୋରିମନା ଅନାଦେୟ ଅଧିକ ୩ ମାସ ) କାରାଦଣ୍ଡରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ (ପୋକସୋ) ଦଣ୍ଡିତ କରିଛନ୍ତି ।
ସୂଚନା ଅନୁସାରେ ୮ ବର୍ଷର ନାବାଳିକା ତା ବାପାଙ୍କ ମାମୁଁ ଘର ଗାଁକୁ ୨୦୨୧ ମସିହା ଅକ୍ଟୋବର ମାସ ୨୮ ତାରିଖରେ ବୁଲିବାକୁ ଯାଇଥିଲା । ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଶିବରାମପୁର ଗାଁର ଗୁଗୁ ପ୍ରଧାନ ନାମକ ଜଣେ ଯୁବକ ନାବାଳିକାକୁ ଚକୋଲେଟ ଦେଇ ଘର ପଛପଟ ବୁଦା ମୂଳକୁ ଡାକି ନେଇଥିଲା । ସେଠାରେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ପାଟି କରିବାରୁ ନାବାଳିକାଙ୍କ ବାପାଙ୍କ ମାମୁଁ , ମାଇଁ ଓ ଅନ୍ୟ ଲୋକ ଦୌଡି ଆସିବାରୁ ଗୁଗୁ ଘଟଣା ସ୍ଥଳରୁ ଦୌଡି ପଳାଇଥିଲା । ନାବାଳିକାକୁ ସେଠାରୁ ମୁମୃର୍ଷ ଅବସ୍ଥାରେ ଉଦ୍ଧାର କରିବା ପରେ ନାବାଳିକାଙ୍କ ବାପା ଏ ନେଇ ତାଳଚେର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ୧୩ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଜଜ (ପୋକସୋ) ସୌମ୍ୟା ଶୁଭଦର୍ଶିନୀ , ଅଭିଯୁକ୍ତ ଗୁଗୁକୁ ୭ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା ( ଜୋରିମନା ଅନାଦେୟ ଅଧିକ ୩ ମାସ ) କାରାଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ପିପି ସରୋଜା କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ।