ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସାନଗୋବିନ୍ଦପୁର ଗ୍ରାମର ଶବର ସାହିରେ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା କରା ଯାଇଛି l ମୃତ ଯୁବକ ଜଣକ ହେଲେ ମଧୁପୁର ଗ୍ରାମର ଦିଲୀପ ସାମଲଙ୍କ ପୁଅ ରାହୁଲ ସାମଲ ବୋଲି ଜଣାପଡିଛି l
ସୂଚନା ଅନୁସାରେ ରାହୁଲଙ୍କ ସହିତ ବଇଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଇନ୍ଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମଙ୍ଗଳବାର ରାତିରେ ଯୁବତୀ ଜଣକ ରାହୁଲକୁ ଡାକିଥିଲେ । ପରେ ଦୁହେଁ ଗୋବିନ୍ଦପୁର ଗ୍ରାମ ଜଙ୍ଗଲକୁ ଯାଇଥିଲେ । ରାତିରେ ପ୍ରବଳ ଶୀତ ହେବାରୁ ଶୀତବସ୍ତ୍ର ଆଣିବା ପାଇଁ ଦୁହେଁ ଯାଉଥିବା ବେଳେ ବାଟରେ ଜଣେ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲା । ପରେ ରାହୁଲଙ୍କୁ ଠେଙ୍ଗାରେ ନିର୍ଧୂମ୍ ପିଟିବାରେ ଲାଗିଥିଲା । ଯୁବତୀ ଜଣକ ଏହା ଦେଖି ଜୀବନ ଭୟରେ ସେଠାରୁ ପଳାଇ ଆସି ନିକଟରେ ଥିବା ଜଣଙ୍କ ଘରେ ପଶି ଯାଇଥିଲେ ।
ତେବେ ସକାଳେ ଗୋବିନ୍ଦପୁର ଜଙ୍ଗଲରେ ରାହୁଲଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ସାଇଣ୍ଟଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇପାରି ନାହିଁ । ରାହୁଲକୁ କାହିଁକି, କିଏ ହତ୍ୟା କଲା , ଏହା ପଛରେ କାରଣ କ’ଣ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ଅନ୍ୟପକ୍ଷରେ ଏହି ହତ୍ୟା ପଛରେ ଜଣେ ନା ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି ତାହା ମଧ୍ୟ ଜଣାପଡ଼ି ନାହିଁ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ହତ୍ୟାକୁ ନେଇ ରାହୁଲଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବିଭିନ୍ନ ଦିଗକୁ ନେଇ ପୁଲିସର ତଦନ୍ତ ଜାରି ରହିଛି । ପ୍ରେମ ପାଇଁ ବାଡ଼ିରେ ପିଟି ପିଟି ଯୁବକ ଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି l