ସଡକ ଦୁର୍ଘଟଣା ନେଲା ଦୁଇ ଜୀବନ

ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଭଣ୍ଡୁବର ଛକ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା ହେବ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣ ଙ୍କ ହେଲେ କୁମଣ୍ଡ ଗ୍ରାମର ଦୁର୍ଯ୍ୟୋଧନ ସାହୁ (୫୫) । ଦୁର୍ଘଟଣା ପରେ ଘଟନା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକ ଅନୁଗୁଳ-ଛେଣ୍ଡିପଦା ରାସ୍ତା ଅବରୋଧ କରିଥିଲେ ।

ସୂଚନା ଅନୁସାରେ , ଗୁରୁବାର ଅପରାହ୍ନ ୪ ଟା ବେଳେ ଏକ ଅଟୋ ଯୋଗେ ଦୁର୍ଯ୍ୟୋଧନ ସାହୁ ଏବଂ କିଛି ଲୋକ ଅନୁଗୁଳ ସହରରୁ କୁମଣ୍ଡ ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ଅଟୋକୁ ଧକ୍କା ଦେଇଥିଲା । ମୁହାମୁହିଁ ଧକ୍କା ଫଳରେ ଅଟୋରେ ବସିଥିବା ଦୁର୍ଯ୍ୟୋଧନ ଅଟୋ ଭିତରୁ ରାସ୍ତା ଉପରେ ଛିଟିକି ପଡି ଥିଲେ। ସେହି କାରଟି ଦୁର୍ଯ୍ୟୋଧନଙ୍କୁ ଚାପି ନିକଟରେ ଥିବା ଏକ ମନ୍ଦିରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ହୋଇଥିବା ବେଳେ ଅଟୋରେ ବସିଥିବା ଅନ୍ୟ ଲୋକ ମାନେ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ବାସୀନ୍ଦା ଅନୁଗୁଳ-ଛେଣ୍ଡିପଦା ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ସଦର ପୁଲିସ ପହଁଚି ଲୋକମାନକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

ସେହିଭଳି ଚ୍ଛେଣ୍ଡିପଦା ଥାନା ଖଙ୍ଗୁରିଆ ନାଳ ନିକଟରେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଶଣ୍ଢପାଳ ଗାଁର ଯୁବକ ଲିପୁନ ସାହୁ ଓ ନରେଶ ବେହେରା ନାମକ ଜଣେ ଯୁବକ ଗତକାଲି ରାତିରେ ଡାଇଭର ଗାଁକୁ ଦୋଳଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ବିଳମ୍ବିତ ରାତିରେ ଉଭୟ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ସେମାନଙ୍କ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଲିପୁନକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ନରେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *