ଷ୍ଟେସନ ଯିବା ବାଟରୁ ଯୁବତୀ ନିଖୋଜ

ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଲୋଧାଝରି ଗ୍ରାମର ସୁଭଦ୍ରା ପାଡ଼ିନ । ଆଜିକୁ ୪ ବର୍ଷ ଧରି ଭୁବନେଶ୍ଵରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ଦିନ ତଳେ କମ୍ପାନୀରୁ ଛୁଟି ନେଇ ଘରକୁ ବୁଲି ଆସିଥିଲେ । ୨୬ ତାରିଖ ପୁନଶ୍ଚ ଭୁବନେଶ୍ୱର ଯିବା ପାଇଁ ଘରୁ ବାହାରି ଆସିଥିଲେ । ତାଳଚେର ଷ୍ଟେସନରେ ପହଞ୍ଚି ଟ୍ରେନ ନଥିବା ଜାଣିବାକୁ ପାଇଥିଲେ । ତେଣୁ ଅଟୋରିକ୍ସା ରେ ତାଳଚେର ରୋଡ ଷ୍ଟେସନ ବାହାରି ଯାଇଥିଲେ । କିନ୍ତୁ ଅଟୋ ରେ ବାହାରି ଯିବା ପରେ ସୁଭଦ୍ରାଙ୍କ ଫୋନ୍ ସ୍ୱିଚ ଅଫ ହୋଇ ଯାଇଥିଲା । ଘର ଲୋକ ଯେତେ ଚେଷ୍ଟା କଲେ ବି ତାଙ୍କ ଫୋନ୍ ଲାଗି ନ ଥିଲା । ବହୁତ୍ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ପାଇ ପାରିନଥିଲେ ପରିବାର ଲୋକେ । ପର ଦିନ ପରିବାର ଲୋକେ ତାଳଚେର ଷ୍ଟେସନ ପରିସରରେ ଥିବା ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ଝିଅର ଭାଇ ପ୍ରଶାନ୍ତ କୁମାର ପାଡିନ । ଘର ଚଳାଉଥିବା ଝିଅକୁ ନ ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଝିଅର ବାପା ପଞ୍ଚାନନ ପାଡିନ । ଝିଅକୁ ଅଟୋ ଚାଳକ କେଉଁଆଡେ ଅପହରଣ କରିନେଇଥିବା ମଧ୍ୟ ଘର ଲୋକ ସନ୍ଦେହ କରୁଛନ୍ତି । କାରଣ ତାଳଚେର ରୋଡ ଷ୍ଟେସନରୁ ଫେରିବା ପରେ ଅଟୋ ଭିତରେ ଝିଅର ବ୍ୟାଗ୍ ଏବଂ ଅନ୍ୟ କିଛି ଜିନିଷ ଥିବା ନେଇ ଅଟୋ ଷ୍ଟାଣ୍ଡର ଅନ୍ୟ ଅଟୋ ଚାଳକ ମାନେ ଝିଅର ପରିବାରକୁ ସୂଚନା ଦେଇଥିଲେ । ତେବେ ପୁଲିସ ଉକ୍ତ ଅଟୋକୁ ଜବତ୍ କରିଛି କିନ୍ତୁ ଅଟୋ ଚାଳକ ଜଣକ କେଉଁଆଡେ ଫେରାର ହୋଇଯାଇଥିବାରୁ ସନ୍ଦେହ ଆହୁରି ଘନୀଭୂତ ହେଉଛି । ତେବେ ଝିଅର ଫେରିବା ବାଟକୁ ଚାହିଁ ବାପା , ଭାଇ , ଭାଉଜ ରେଳବାଇ ଫାଣ୍ଡିରେ ଅପେକ୍ଷାରେ ବସିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *