ଅନୁଗୁଳ – ଶନିବାର ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଜୋର ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଏହା ପ୍ରଭାବରେ ଅନେକ ସ୍ଥାନରେ ଗଛ ଭାଙ୍ଗିଥିଲା । ସନ୍ଧ୍ୟା ସମୟରେ ହୋଇଥିବା ଏହି କାଳ ବୈଶାଖୀ ଯୋଗୁଁ ଗଛ ପଡି ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
କଣିହାଁ ଥାନା ବଡଗୁଣ୍ଡୁରୀ ପଂଚାୟତ ଦେଭୂଇଁ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଝଡ ତୋଫାନରେ ଗଛପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର କୁନି ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି । ସୂଚନା ଅନୁସାରେ , ଶନିବାର ରାତିରେ ହଠାତ ଝଡ଼ ତୋଫାନ ସହ ବର୍ଷା ଆସିଥିଲା। ସେହି ସମୟରେ ଗେଲେଇ ବେହେରା ପଡିଶା ଘରୁ ଛୁଆଙ୍କୁ ଧରି ଫେରୁଥିଲେ । ପ୍ରବଳ ଝଡତୋଫାନ ଯୋଗୁଁ ଘର ପାଖରେ ଥିବା କୃଷ୍ଣଚୁଡା ଗଛଟି ମହିଳାଙ୍କ ଉପରେ ପଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଗେଲେଇ ବେହେରାଙ୍କ ମୃତ୍ୟୁ ହୋଇଛି । ଏହା ଦେଖି ତୁରନ୍ତ ସ୍ଥାନୀୟ ଲୋକେ ସେଠାରୁ ଛୋଟ ପିଲାକୁ ଉଦ୍ଧାର କରିଛନ୍ତି । ଛୁଆଟି ସୁସ୍ଥ ଥିବା ଜଣାପଡିଛି । ଖବର ପାଇ କଣିହାଁ ଅଗ୍ନିଶମ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ କାଟି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । କଣିହାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସେହିଭଳି ଆଠମଲ୍ଲିକ ଅଞ୍ଚଳରେ ମଧ୍ୟ କାଳ ବୈଶାଖୀ ତାଣ୍ଡବ କରିଥିଲା । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ସମେତ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଏହି କାଳ ବୈଶାଖୀ ସମୟରେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିବା ଜଣେ ଶ୍ରମିକ ଗଛ ମୂଳରେ ଆଶ୍ରା ନେଇଥିବା ବେଳେ ଗଛ ଭାଙ୍ଗି ଯିବାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ବିହାର ଅଞ୍ଚଳର ବୋଲି ଜଣା ପଡିଛି । ଆଠମଲ୍ଲିକ ଥାନା ଓଲଥ ଗାଁ ନିକଟରେ ଏହି ଅଘଟଣ ଘଟିଛି । ସେ ପତକା ଗ୍ରାମରେ ଥିବା ଏକ ଜଳ ପ୍ରକଳ୍ପରେ ଠିକା ଶ୍ରମିକ ଭାବେ କାମ କରୁଥିଲେ ।