ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ଗାଁର ତିନି ଜଣ ମୋଟରସାଇକେଲରେ ଦେବଗଡ଼ ଜିଲ୍ଲା ରେଙ୍ଗାଳିପାଲି ଗାଁକୁ ଯାଉଥିବା ବେଳେ ବାଗଡିଆ ଥାନା ସୀମାନ୍ତ ସଙ୍ଗାପଶି ଗାଁ ନିକଟରେ ଏକ ହରିଣ ଧକ୍କାରେ ମୋଟରସାଇକେଲରୁ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି l ସେହିଭଳି ଅଜଣା ଗାଡି ଧକ୍କାରେ ବାଗଡିଆ ଧର୍ମଶାଳା ଆଗରେ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ପାତ୍ରପଡା ଗାଁର କୈଳାଶ ଚନ୍ଦ୍ର ସାହୁ ତାଙ୍କ ପତ୍ନୀ ବିସ୍ମିତା ସାହୁ ଓ ଭଉଣୀ ମଞ୍ଜୁଲତା ସାହୁଙ୍କୁ ନେଇ ଏକ ମୋଟରସାଇକେଲରେ ରେଙ୍ଗାଲିପାଲି ଗ୍ରାମକୁ ଯାଉଥିଲେ l ବାଗଡିଆ ଥାନା ସୀମାନ୍ତ ସାଙ୍ଗପଶି ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ହଠାତ ଏକ ହରିଣ ରାସ୍ତାକୁ ଡିଆଁ ମାରିବା ସହ ସେମାନଙ୍କ ସହ ଧକ୍କା ହୋଇଥିଲା l ଫଳରେ ତିନି ମୋଟରସାଇକେଲ ଆରୋହୀ ରାସ୍ତାରେ ଛିଟିକି ପଡିଥିଲେ l ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ତେବେ ସେଠାରେ ଡାକ୍ତର କୈଳାସଙ୍କ ଭଉଣୀ ମଞ୍ଜୁଲତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ କୈଳାଶ ଓ ତାଙ୍କ ପତ୍ନୀ ବିସ୍ମିତା ଗୁରୁତର ଆହତ ହୋଇ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l ଖବର ପାଇ ପୂଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l ମୃତକ ମଞ୍ଜୁଲତା ସାହୁଙ୍କ ଘର ରେଙ୍ଗାଲିପାଲି ଗାଁରେ ବୋଲି ଜଣା ପଡିଛି ।
ସେହିଭଳି ଛେଣ୍ଡିପଦା ବ୍ଲକ ବାଗଡିଆ ଥାନା ଦେଇ ଯାଇଥିବା ୧୫୩ବି ଜାତୀୟ ରାଜପଥର ବାଗଡିଆ ଧର୍ମଶାଳା ନିକଟରେ ଶନିବାର ଅପରାହ୍ନ ୩ ଟାରେ ଏକ ଅଜଣା କାର ଧକ୍କାରେ ଜଣେ ସ୍କୁଟର ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଗଡିଆ ଗ୍ରାମର କବି ବେହରା । ସୂଚନା ଅନୁସାରେ ବାଗଡିଆ ଗ୍ରାମର କବି ବେହେରା ଶିନି ମନ୍ଦିରରୁ ଦର୍ଶନ କରି ନିଜର ସ୍କୁଟିରେ ନିଜ ଗ୍ରାମକୁ ଫେରୁଥିବାବେଳେ ବାଗଡିଆ ବଜାରପଡା ଧର୍ମଶାଳା ନିକଟରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ କବି ସ୍କୁଟି ସହ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର କବିଙ୍କୁ ମୃତ ଘୋଷଣା କରିଥିଲେ ।