ତାଳଚେର – ଅପହରଣ କରି ଟଙ୍କା ଦାବି । ଟଙ୍କା ନ ମିଳିବାରୁ ନିସ୍ତୁକ ମାଡ । ପିନ୍ଧିଥିବା ସୁନା ଚେନ୍ , ମୁଦି ଏବଂ ବ୍ରେସଲେଟ ସହ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ନେଇଗଲେ ଦୃର୍ବୁତ୍ତ । ଏଭଳି ଘଟଣା ତାଳଚେର ଅଞ୍ଚଳରେ ଘଟିଛି ।
ସୂଚନା ଅନୁସାରେ ତାଳଚେର ,ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡା ଗ୍ରାମର ଦୀପକ ପ୍ରଧାନ ତାଙ୍କ ସ୍କୁଟି ଯୋଗେ ଅପରାହ୍ନ ପ୍ରାୟ ୧ ଟା ବେଳେ ଅନୁଗୁଳ ଅଞ୍ଚଳକୁ ଯାଉଥିଲେ । ତେବେ କୁଇଓ ଠାରେ ହଠାତ ୬ ଜଣ ଦୃର୍ବୁତ୍ତ ଏକ ମୋଟରସାଇକେଲ ଏବଂ ଏକ କାରରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ । ଦୀପକ ଭୟଭୀତ ହୋଇ ଅଟକିଯିବା ପରେ ତାଙ୍କୁ ଜୋରଜବରଦସ୍ତ କାର ଭିତରକୁ ନେଇ ଅପହରଣ କରି ନେଇଥିଲେ । ସେଠାରୁ ସେମାନେ ଦୀପକଙ୍କୁ ନେଇ ଗୋଡ଼ିବନ୍ଧ ବଙ୍ଗାରୁ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଥିଲେ । ସେଠାରେ ତାଙ୍କ ହତଗୋଡ ବାନ୍ଧି ତାଙ୍କୁ ନିସ୍ତୁକ ମାଡ ମାରିବା ସହ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ କିମ୍ବା ପୁଲିସକୁ ଜଣାଇଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ।
ତେବେ ନିକଟସ୍ଥ ଇଟା ଭାଟିରେ କିଛି ଲେବର କାମ କରୁଥିବା ବେଳେ ଏହି ଘଟଣା ଦେଖିବାକୁ ପାଇଥିଲେ । ସେମାନେ ଘଟଣାକୁ ଦେଖି ନିକଟସ୍ଥ ଗୋଡିବନ୍ଧ ଫାଣ୍ଡି ପୁଲିସକୁ ଏ ନେଇ ଜଣାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ତେବେ ପୁଲିସକୁ ଦେଖି ଦୃର୍ବୁତ୍ତ ମାନେ ସେହି ସ୍ଥାନରେ ଅପହରଣରେ ବ୍ୟବହୃତ କାରଟିକୁ ଛାଡି ଚମ୍ପଟ୍ ମାରିଥିଲେ । ପୁଲିସ ଘଟଣା ସ୍ଥଳରୁ ଦୀପକଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ମାନେ ଛାଡ଼ିଯାଇଥିବା କାରକୁ ଜବତ କରିଥିଲା । ପରେ ଦୀପକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏ ନେଇ ତାଳଚେର ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।