ତାଳଚେର – ବହୁ ଚର୍ଚ୍ଚିତ ତାଳଚେର ଷ୍ଟେସନ ଯିବା ରାସ୍ତାରେ ଯୁବତୀକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରିବା ଘଟଣାର ଅଭିଯୁକ୍ତ ବିଶୁ ଗୋଛୟତକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଅପରାଧ ଘଟାଇବା ପରେ ରାଜ୍ୟ ପରେ ରାଜ୍ୟକୁ ଚମ୍ପଟ ମାରୁଥିବା ବିଶୁକୁ ଶେଷରେ ମହାରାଷ୍ଟ୍ରର ରାଇଗଡରୁ ଗିରଫ କରି ଅନୁଗୁଳ ଅଣା ଯାଇଛି । ଏହା ସହ ତାକୁ ଫେରାର ହେବାରେ ସହଯୋଗ କରିଥିବା ଅଭିଯୋଗରେ ଅନ୍ୟ ତିନିଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଗତ ଏପ୍ରିଲ ମାସ ୨୬ ତାରିଖରେ କଣିହାଁ ଅଞ୍ଚଳର ଯୁବତୀ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରକୁ ଯିବା ପାଇଁ ତାଳଚେର ରୋଡ଼ ଷ୍ଟେସନ ଯିବା ପାଇଁ ଅଟୋରେ ଯାଉଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ହେଲେ ମେ ୪ ତାରିଖରେ ତାଙ୍କ ଗଳିତ ମୃତଦେହ ବଅଁରପାଳ ଥାନା କେନ୍ଦୁପଲି ଗାଁ ନିକଟ ବିଲମାଲରୁ ତାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା । ଯୁବତୀ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ଜଣା ପଡିଥିଲା । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୁଲିସ ପାଇଁ ଏହି ଘଟଣା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।
ଅପରାଧିକୁ ଧରିବା ପାଇଁ ପାଇଁ ପୁଲିସ ଅପରେସନ କୋକୂନ ଆରମ୍ଭ କରିଥିଲା । ଏଥିରେ ଛଅଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସି ସି ଟିଭି ଜାଞ୍ଚ ବେଳେ ଯୁବତୀଙ୍କୁ ଯେଉଁ ଅଟୋ ରେ ଯାଉଥିଲେ ସେହି ଅଟୋର ଚାଳକ ବିଶୁ ଗୋଛାୟତ ଏହି କାଣ୍ଡ ଭିଆଇ ଥିବା ଜଣା ପଡିଥିଲା । ହେଲେ ସେତେବେଳକୁ ବିଶୁ ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା । ତାକୁ ଧରିବାକୁ ପୁଲିସ ମହାରାଷ୍ଟ୍ର , ଗୁଜୁରାଟ ଆଉ ଦିଲ୍ଲୀ ଯାଇଥିଲା । ଅଭିଯୁକ୍ତ ମୋବାଇଲ ବ୍ୟବହାର କରୁ ନଥିବା ଯୋଗୁଁ ତାକୁ ପାଇବା କଷ୍ଟକର ହୋଇ ପଡ଼ିଥିଲା । ପ୍ରାୟ ୧୨୦୦ ସି ସି ଟିଭି ଜାଞ୍ଚ ପରେ ଅଧିକ ତଦନ୍ତ କରି ବିଶୁ ମହାରାଷ୍ଟ୍ରର ରାଇଗଡ ରେ ଏକ ଫ୍ୟାକ୍ଟେରିରେ କାମ କରୁଥିବା ଜାଣି ମହାରାଷ୍ଟ୍ର ପୁଲିସ ସହାୟତାରେ ଅନୁଗୁଳ ପୁଲିସ ଚଢ଼ାଉ କରି ତାକୁ ଗିରଫ କରିବା ସହ ରିମାଣ୍ଡରେ ତାକୁ ଅନୁଗୁଳ ଆଣିଥିଲା । ଅନୁଗୁଳରେ ତାକୁ ପଚରାଉଚରା ବେଳେ ସେ ସବୁ କଥା ମାନି ଯାଇଥିଲା । ଅଟୋରେ ଯୁବତୀକୁ ଜୋର ଜବରଦସ୍ତ ନେଇ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଅଭିଯୁକ୍ତ ବିଶୁ , ଯୁବତୀଙ୍କୁ ତାଙ୍କ ଚୁନରୀରେ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ମାନି ଯାଇଥିଲା । ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଥିବା ବେଳେ ବିଶୁକୁ ଫେରାର ହେବାକୁ ସହଯୋଗ କରିଥିବା ତାର ବାପା , ଜେଜେବାପା ଏବଂ ମାମୁଁଙ୍କୁ ମଧ୍ୟ ଗିରଫ କରାଯାଇଛି । ପୁଲିସ ଏହି ଘଟଣାରେ ୩୦ ଦିନ ଭିତରେ ଟିଖିନିଖି ତଦନ୍ତ କରି କୋର୍ଟରେ ଚାର୍ଜସିଟ ଦାଖଲ କରିବ ବୋଲି କହିଛି । ଏହା ସହ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଚେଷ୍ଟା କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।