ଅନୁଗୁଳ – ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଶୁକ୍ରବାର ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ବନ୍ତଳା ଅଞ୍ଚଳର ଅଭିଯୁକ୍ତ ସୁବ୍ରତ ସାହୁ(୨୪ ବର୍ଷ)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।
ସୂଚନା ଅନୁସାରେ , ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ ଅଭିଯୁକ୍ତ ସୁବ୍ରତ ଜଣେ ୧୨ ବର୍ଷର ନାବାଳିକାକୁ ଘର ପାଖକୁ ଡାକି ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ମୋଟ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ସୁବ୍ରତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ତଥା ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଭୂତିଆ ମାମଲାର ପରିଚାଳନା କରିଥିଲେ।