ଅନୁଗୁଳ – ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର କିଛି ମୁଷ୍ଟିମେୟ ବ୍ୟକ୍ତି ମାନଙ୍କ ଦ୍ବାରା ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଅଛି ।ଦୀର୍ଘବର୍ଷ ଧରି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସହିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ନିମନ୍ତେ ଅନୁଗୁଳ ଜଗନ୍ନାଥ ସେନା ଜିଲ୍ଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିଆସୁଅଛି । ତେବେ କେଉଁ ସ୍ବାର୍ଥରେ ବା କାହା ଚାପରେ ପ୍ରଶାସନ ନୀରବ ରହି ଦୁର୍ନୀତି ଓ ଅନ୍ଯାୟକୁ ସମର୍ଥନ କରିଆସୁଅଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଛି । ଯାହାକୁ ନେଇ ବୁଧବାର ଠାରୁ ଅନିର୍ଦିଷ୍ଟ କାଳ ପାଇଁ ବା ଏହା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ପର୍ଯ୍ୟନ୍ତ ଦୈନିକ ଏକଘଣ୍ଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ନେଇ ଜଗନ୍ନାଥ ସେନା ନିଷ୍ପତ୍ତି ନେଇଅଛି । ସେନାର ଅଭିଯୋଗ ଅନୁଯାୟୀ ମନ୍ଦିର ପରିଚାଳନା ନିମନ୍ତେ ହୋଇଥିବା ବାଇ-ଲ କୁ ଖୁଲମଖୁଲା ଉଲଂଘନ କରାଯାଇ ଗୋଟିଏ ପଦବୀରେ ସମ୍ପାଦକ ହେମନ୍ତ ଦାଶ ଓ ଉପ ସଭାପତି ତଥା ବିଶେଷ ପୂଜା କମିଟି ଅଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର କିଛି ସପକ୍ଷବାଦୀଙ୍କ ସହାୟତାରେ ଦୀର୍ଘଦିନ ଧରି ଜବର ଦଖଲ କରି ବସି ରହିଛନ୍ତି । ଫଳରେ ମନ୍ଦିରକୁ ବ୍ୟକ୍ତିଗତ ସମ୍ପତ୍ତି ଭାବିବା ସହିତ ଅନ୍ୟାୟ ଅନୀତି କରିଆସୁଛନ୍ତି ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଛି ।ଏଣୁ ଉଭୟଙ୍କୁ ତୁରନ୍ତ ଉକ୍ତ ପଦବୀରୁ ବହିଷ୍କାର କରାଯାଇ ନୂତନ ସଦସ୍ୟ ମାନଙ୍କୁ ଦାୟିତ୍ବ ଦିଆଯିବାର ବ୍ୟବସ୍ଥା କରାଯାଉ ବୋଲି ଜଗନ୍ନାଥ ସେନା ଦାବୀ ରଖିଅଛି । ଏଥିସହିତ ନିୟମାନୁଯାୟୀ ବାର୍ଷିକ ସାଧାରଣସଭା ରଥଯାତ୍ରା ପୂର୍ବରୁ ବା ଅପ୍ରେଲ ମାସ ସୁଧା ହେବାକୁ ଥିଲେ ମଧ୍ୟ ତାହା ନିୟମିତ କରାଯାଉନାହିଁ । ଏଣୁ ରଥଯାତ୍ରା ପୂର୍ବରୁ ସାଧାରଣ ସଭାର ଆୟୋଜନ କରାଯାଉ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓଡ଼ିଶାର ଏକ ମୁଖ୍ୟ ଦର୍ଶନୀୟ ସ୍ଥାନ ଓ ପର୍ଯ୍ଯଟନୀ ସ୍ଥଳୀ ଭାବେ ପରିଚୟ ସୃଷ୍ଟି କରିସାରିଥିବାରୁ ଏହାକୁ ଦେବୋତ୍ତର ବିଭାଗ ଅଧୀନକୁ ନିଆଯାଇ ରାଜ୍ୟ ସରକାର ଏହାର ବିକାଶ କରନ୍ତୁ ବୋଲି ମଧ୍ୟ ଜଗନ୍ନାଥ ସେନା ଦାବୀ କରିଅଛି । ଏଥିସହିତ ୨୦୦୪ ମସିହାଠାରୁ ମନ୍ଦିରର ଆୟବ୍ୟୟର ଅଡିଟ୍ ରିପୋର୍ଟ ସାର୍ବଜନୀନ କରାଯିବା ସହିତ କୌଣସି ନିରପେକ୍ଷ ସଂସ୍ଥା ଦ୍ବାରା ଅଡିଟ୍ କରାଯାଉ ବୋଲି ମଧ୍ୟ ଜଗନ୍ନାଥ ସେନା ଦାବୀ ରଖିଅଛି । ଯେ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ୟାର ସମାଧାନ ନହୋଇଛି ଏ ଗଣଧାରଣା ଜାରି ରହିବା ସହିତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଜଗନ୍ନାଥ ସେନା ପ୍ରକାଶ କରିଅଛି ।
ଜଗନ୍ନାଥ ମନ୍ଦିରରେ ଅନ୍ୟାୟ ଓ ଦୁର୍ନୀତି ହେଉଥିବା ଅଭିଯୋଗ କରି ଗଣଧାରଣା
