ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪ ବର୍ଷୀୟ ଶିଶୁ ଓ ଅନ୍ୟ ଏକ ଦୁଇ ମାସର ନବଜାତ ଶିଶୁ । ମହିଳା ଜଣଙ୍କ ଅଚେତ ଅବସ୍ଥାରେ ପଡି ରହିଥିବା ବେଳେ ନବଜାତକ ଶିଶୁଟି କାନ୍ଦି ଚାଲିଥିଲା । ତା କାନ୍ଦରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠୁଥିଲା । ହେଲେ ମଧ୍ୟ ଅଚେତ ଅବସ୍ଥାରେ ଥିବା ମାଆ ଉଠୁ ନଥିଲା । ସେହି ବାଟ ଦେଇ ଅନେକ ଲୋକ ଜୀବବା ଆସିବା କରୁଥିବା ବେଳେ କାହାରି ମନରେ ମମତା ନଥିଲା । ଦେଖଣାହାରୀ ବହୁତ ଥିଲେ ମଧ୍ୟ ଆହା କରିବାକୁ କେହି ଆସୁ ନଥିଲେ । ବହୁ ସମୟ ପରେ କିଛି ସହୃଦୟ ବ୍ୟକ୍ତି ଆସି ମାଆକୁ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ଅଚେତ ମହିଳାଙ୍କ ଚେତା ଫେରୁ ନଥିଲା । ଏହି ସମୟରେ ସେହି ସ୍ଥାନରେ ପହଞ୍ଚିଲେ ଦୁଇ ମହିଳା ଟ୍ରାଫିକ ହୋମଗାର୍ଡ ଦ୍ରୌପଦୀ ବେହେରା ଓ ବିଜୁଳି ନାହାକ । କର୍ମକ୍ଷେତ୍ରରୁ ଫେରୁଥିବା ଏହି ଦୁଇ ମହିଳା ହୋମଗାର୍ଡ କିନ୍ତୁ ଶିଶୁର କାନ୍ଦ ସହି ପାରି ନଥିଲେ । ତାଙ୍କ ମାଆ’ର ମମତା ଜାଗି ଉଠିଥିଲା । ବିନା ସଙ୍କୋଚରେ ଶିଶୁଟିକୁ କୋଳେଇ ନେଇ କାନ୍ଦ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଆଉ ସଫଳ ମଧ୍ୟ ହୋଇଥିଲେ । ଆଉ ସେଠାରେ ଜଗି ରହି ଅଚେତ ମହିଳାଙ୍କ ଚେତା ଫେରିବା ଯାଏ ଅପେକ୍ଷା ମଧ୍ୟ କରିଥିଲେ । ଆଉ ଚେତା ଫେରିବା ପରେ ନିଜ ଘରକୁ ଯାଇଥିଲେ । ତେବେ ଦୁଇ ମହିଳା ହୋମଗାର୍ଡଙ୍କ ଏଭଳି କାମ ଦେଖି ସେଠାରେ ଉପସ୍ଥିତ ଥିବା ଜନସାଧାରଣ ମନ ଆଲୋଡିତ ହୋଇଥିଲା । ଉଭୟଙ୍କୁ ପ୍ରଶଂସା କରିବା ସହ ମାଆ’ର ମମତା କେତେ ସୁନ୍ଦର ଆଉ ନାରୀର ହୃଦୟ କେତେ ବିଶାଳ ଏଥିରୁ ପ୍ରମାଣିତ ବୋଲି କହିଥିଲେ ।
What’s your Reaction?
+1
+1
+1
+1
+1
+1
+1