ଅନୁଗୁଳ –ଅନୁଗୁଳ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ୱାଳ ଓ ନାତୁଣୀ ଅମ୍ବିକା ବିଶ୍ୱାଳ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ପ୍ରଭାତ ତ୍ରିପାଠୀ ଓ ଅମର ଶତପଥି ଏକ ଇନୋଭା କାରରେ ସମ୍ବଲପୁରରୁ ଅନୁଗୁଳ ଯାଉଥିବା ବେଳେ ହଣ୍ଡପା ଛକ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ , ଝିଅ ଓ ନାତୁଣୀକୁ ନେଇ ଅନୁଗୁଳ ପଟକୁ ଯାଉଥିବା ଏକ ଏକ୍ସୟୁଭି ଗାଡି ପଛରୁ ଧକ୍କା ଦେଇଥିଲା । ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ୱାଳ ଓ ନାତୁଣୀ ଅମ୍ବିକା ବିଶ୍ୱାଳ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ହଣ୍ଡପା ପୁଲିସ ଖବର ପାଇ ତୁରନ୍ତ ଗୁରୁତର ଆହତ ହୋଇଥିବା ଉର୍ମିଳା ବିଶ୍ୱାଳ ଓ ତାଙ୍କ ଝିଅ ଏବଂ ନାତୁଣୀଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦେଇଥିଲେ । ବିଧାୟକ ତ୍ରିପାଠୀ ହଣ୍ଡପାରେ ପ୍ରାଥମିକ ଚିକିତ୍ସା କରାଇଥିବା ସୂଚନା ମିଳିଛି ।