ଅନୁଗୁଳ – ଅନୁଗୁଳ ସଦର ଥାନା କୁଶାସିଂହା ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଜଣେ କୁଶାସିଂହା ଗାଁର ସାଗର ଦାସ ଅନ୍ୟ ଜଣେ ସେହି ରାସ୍ତା ଦେଇ ଆସୁଥିବା ବାଟୋଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆଜି ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ ଯୋଗ ଦେଇଥିଲେ । ସେଠାରୁ ବିଧାୟକ ଫେରୁଥିବା ବେଳେ ତାଙ୍କ ସହିତ କିଛି ବ୍ୟକ୍ତି ମଧ୍ୟ ଆସୁଥିଲେ । ଗାଁ ମୁଣ୍ଡ ଯାଏ ହୋଇଥିବା ବେଳେ ୪-୫ ଜଣ ଦୁର୍ବୃତ୍ତ ହଠାତ ଖଣ୍ଡା ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସାଗର ଦାଶ ବେକ ପାଖରେ ଆଘାତ ଲାଗିଥିବା ବେଳେ ସେହି ରାସ୍ତା ଦେଇ ଆସୁଥିବା ଅନ୍ୟ ଜଣେ ଯୁବକଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିଲା । କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତ ମାନେ ସେଠାରେ ଏକ ପ୍ରକାର ଆତଙ୍କ ଖେଳାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା ଜଣା ପଡିଥିବା ବେଳେ କରଡାଗାଡିଆର ଜଣେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ଦୁର୍ବୃତ୍ତ ମାନେ ଯାଇଥିବା ସୂଚନା ମିଳିଛି । ହେଲେ ବି ଆକ୍ରମଣ ପଛର ସଠିକ କାରଣ ଜଣା ପଡି ନାହିଁ । ଅନୁଗୁଳ ସଦର ଥାନାରେ ଏ ନେଇ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1