ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ କଣିହାଁ ଅଞ୍ଚଳର ଜଣେ ୪୨୦ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାମ ନିବେଦିତା ପ୍ରଧାନ (୩୪) । ସୂଚନା ଅନୁସାରେ , ଚାଙ୍ଗୁଡିଆ ଗ୍ରାମର ଲିଲି ସାହୁ ନାମଙ୍କ ଜଣେ ମହିଳାଙ୍କ ସ୍ୱାମୀ ମରିଯିବା ପରେ ଲିଲି ତାଙ୍କ ଦେଢଶୁରଙ୍କ ଝିଅ ନିବେଦିତାଙ୍କୁ ତାଙ୍କ ଦେଖା ଶୁଣା କରିବା ପାଇଁ ପାଖରେ ରଖିଥିଲେ । ଖୁଡି ପାଖରେ ରହି ଲିଲିଙ୍କୁ ନିଜର ବିଶ୍ଵାସକୁ ନେବା ପରେ ଲିଲିଙ୍କ ବ୍ୟାଙ୍କ ପାସବୁକ, ଏଟିଏମ୍ କାର୍ଡକୁ ନିବେଦିତା ହାତେଇ ନେଇଥିଲା । ଗତ ୨୦୧୫ ମସିହାରେ ନିବେଦିତା ଲିଲିଙ୍କ ସୁନାଗହଣାକୁ ଚୋରୀ କରିନେବା ପରେ ଲିଲି କଣିହାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ସହାୟତାରେ ଲିଲି ତାଙ୍କ ସୁନା ପାଇବା ପରେ ନିବେଦିତାଙ୍କ ପ୍ରତି ତାଙ୍କର ସନ୍ଦେହ ବଢିଥିଲା । ତେଣୁ ଲିଲି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଦେଖି ସେ ତାଙ୍କ ଝିଆରୀ ନିବେଦିତା ଏବଂ ନିବେଦିତାଙ୍କ ସ୍ଵାମୀଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନେଇଥିବା କଥା ଉଭୟ ମାନି ଯାଇଥିବା ବେଳେ ଟଙ୍କା ଫେରସ୍ତ କରିଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଟଙ୍କା ନଦେବାରୁ ଲିଲି ଅଦାଲତର ଆଶ୍ରୟ ନେଇ ଥିଲେ । ଏନେଇ ଅଦାଲତ ଛେଣ୍ଡିପଦା ଥାନାକୁ ଉକ୍ତ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଛେଣ୍ଡିପଦା ପୁଲିସ ଏକ ମାମଲା ରୁଜ୍ଜୁ କରି ଲିଲି ସାହୁଙ୍କ ଆକାଉଣ୍ଟରୁ ୧୧ଲକ୍ଷ ୯୮ ହଜାର ୮ଶହ ଟଙ୍କା ନିବେଦିତାଙ୍କ ସ୍ୱାମୀ ଭାଗିରଥିଙ୍କ ଆଟାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ବେଳେ ବିଭିନ୍ନ ଦେକାନୀ ମାନଙ୍କୁ ୧ ଲକ୍ଷ ୭୯ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଥିବା ଜାଣିବାକୁ ପାଇଥିଲା । ଏହା ସହ ବିଭିନ୍ନ ଏଟିଏମରୁ ୯ ଲକ୍ଷ ୮୪ ହଜାର ୨୩୪ ଟଙ୍କା ଉଠାଣ କରାଯାଇଥିବା ବେଳେ ଝିଆରୀ ନିବେଦିତାଙ୍କ ଆକାଉଣ୍ଟକୁ ୨୯ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ମଧ୍ୟ ଜାଣିବାକୁ ପାଇଥିଲା । ଏଥିରୁ ୧୦ଲକ୍ଷ ଟଙ୍କା ଲିଲି ସାହୁଙ୍କୁ ଫେରସ୍ତ ଦିଆଯାଇଥିବା ପୁଲିସ ତଦନ୍ତରୁ ଜଣାପଡିଛି । ପୁଲିସ ଏହି ତଦନ୍ତ ଆଧାରରେ ୪୨୦ ଝିଆରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
What’s your Reaction?
+1
+1
+1
+1
+1
+1
+1