ଅନୁଗୁଳ – କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରି ଚାଲିଥିବା ବେଳେ ଭୟ ଓ ଆତଙ୍କ ଯୋଗୁଁ ମାନବିକତା ମଧ୍ୟ ହଜିବାରେ ଲାଗିଛି । ରୋଗ ଆଗରେ ସମ୍ପର୍କ ମୂଲ୍ୟହୀନ ହୋଇ ଯାଇଛି । ଏପରିକି ମୃତ୍ୟୁ ପରେ ଏବେ ତିନି ହାତ ଜାଗ ମିଳିବା କଷ୍ଟକର ହୋଇ ପଡୁଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଗାଁରେ ଦେଖିବାକୁ ମିଳିଛି । କରୋନା ଭୟରେ ମୃତ ଜଣେ କ୍ଷୀର ବ୍ୟବସାୟୀଙ୍କ ଶବ ନିଜ ସାହି ଭାଇ , ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ଚାରି କାନ୍ଧ ତ ଦେଲେ ନାହିଁ ବଂର ଗାଁ ସ୍ମଶାନରେ ଶବକୁ ପୋତିବା ପରେ ପୁଣି ଖୋଳି ଫେରାଇଦେଇ ଥିବା ଭଳି ଲଜ୍ୟାଜନକ ପରିସ୍ଥିତି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଳରାମପ୍ରସାଦ ଗାଁ କେନ୍ଦୁପାଟଣାସାହିର ପ୍ରମୋଦ ରାଉତ ଦୀର୍ଘ ଦିନ ହେବ ବାର୍ଦ୍ଧିକ ରୋଗରେ ପୀଡିତ ହୋଇ ଘରେ ରହି ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କର ଦୁଇ ପୁଅ ଥିବା ଥିବା ବେଳେ ସାନପୁଅଙ୍କର ୨୩ତାରିଖ ରବିବାର ସକାଳେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଅନଗୁଳ ସ୍ଥିତ କୋଭିଡ କେୟାର ସେଣ୍ଟରକୁ ପଠାଯାଇଥିଲା । ତେବେ ବିଳମ୍ବିତ ରାତିରେ ପ୍ରମୋଦ ରାଉତଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମରଶରୀରକୁ ଚାରି କାନ୍ଧ ଦେବାକୁ ସାହି ପଡିଶା, ବନ୍ଧୁ ପରିଜନ କେହି ଆସି ନଥିଲେ । କରୋନା ସଂକ୍ରମିତ ଥିବା ଆଶଙ୍କାରେ ଶବ ସତ୍କାର କରିବାକୁ ଗାଁର କୌଣସି ଲୋକ ସହଯୋଗ କରି ନଥିଲେ । ପ୍ରମୋଦଙ୍କ ସାନପୁଅ କରୋନାରେ ଆକ୍ରନ୍ତ ହୋଇଥିବା ଯୋଗୁଁ ସାହି ପଡିଶା ଲୋକ ଭୟଭୀତ ହୋଇଯାଇଥିଲେ । ଯେଉଁଥିପାଇଁ ଶବ ସତ୍କାର କାର୍ଯ୍ୟରେ ସହଯୋଗ କରିବାକୁ ରାଜି ହୋଇ ନଥିଲେ । ଏ ପଟେ ବଡ ପୁଅ ଚନ୍ଦ୍ରମଣି ଏକୁଟିଆ । ଆର୍ଥିକ ଦୁର୍ବଳ । ଉପାୟ ନପାଇ ଅନଗୁଳରେ ରହୁଥିବା ସମାଜସେବୀ ଚିନ୍ମୟୀ ଦାସଙ୍କ ସହଯୋଗ ଲୋଡିଥିଲେ । ସେତେବେଳକୁ ଘରେ ୭ ଘଣ୍ଟା ଶବ ପଡି ରହିଥିଲା । ଖବର ପାଇ ସକାଳେ ସମାଜସେବୀ କିନ୍ନର ଚିନ୍ମୟୀ ଦାସ ପିପିଇ କିଟ ପିନ୍ଧି ଆମ୍ବୁଲାନ୍ସ ଧରି ପହଞ୍ଚିଥିଲେ । ଆଉ ପ୍ରମୋଦଙ୍କ ବଡପୁଅଙ୍କ ସହ ମିଶି ଗାଁ ମଶାଣୀକୁ ନେଇଥିଲେ । କାଠ ପାଇଁ ଟଙ୍କା ଅଭାବ ଯୋଗୁଁ ଶବକୁ ନ ପୋଡ଼ି ଗାତ ଖୋଳି ପୋତି ଦେଇଥିଲେ । ତେବେ ଏହି ଘଟଣାକୁ ମଧ୍ୟ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଥିଲେ । ଖବର ପାଇ ବଆଁରପାଳ ତହସିଲଦାର , ନାଲକୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅର୍ଥ ଅଭାବରୁ ଶବ ପୋଡି ନପାରି ଶବ ପୋତିଦେଇଥିବା ମୃତକଙ୍କ ବଡ଼ପୁଅ ଚନ୍ଦ୍ରମଣି ପ୍ରସାସନ ଅଧିକାରୀଙ୍କୁ ଅବଗତ କରିବା ପରେ ଏବଂ ଗ୍ରାମବାସୀ ଚାପରେ ଶବକୁ ସ୍ୱେଚ୍ଛାସେବୀ ଚିନ୍ମୟୀ ଓ ଚନ୍ଦ୍ରମଣି ଗାତରୁ ବାହାର କରି ଅନଗୁଳ କରଡାଗାଡ଼ିଆ ସ୍ଥିତ ଶ୍ମଶାନରେ ବିନା ଖର୍ଚ୍ଚରେ ଶବଦାହ କରିବା ପାଇଁ ପ୍ରଶାସନର ନିଷ୍ପତ୍ତି ପରେ ଶବ ସତ୍କାର କରାଯାଇଥିଲା । ତେବେ କରୋନା ଯୋଗୁଁ ମାନବିକତା ହଜିଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମାଜସେବୀ କିନ୍ନର ଚିନମୟୀ ଦାସଙ୍କ ମହାନତାକୁ ତାଠାରୁ ଅଧିକ ପ୍ରଶଂସା କରା ଯାଉଛି ।
What’s your Reaction?
+1
+1
+1
+1
+1
+1
+1