ମରଣଯନ୍ତା ଏନ୍‌ଏଚ୍‌-୫୫

ମରଣଯନ୍ତା ଏନ୍‌ଏଚ୍‌-୫୫

ଅନୁଗୁଳ – ମୃତ୍ୟୁର ଯନ୍ତା ୫୫ ନମ୍ବର ଜାତୀୟ ରାଜପଥ । ଓଡ଼ିଶାର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳକୁ ଯୋଡ଼ୁଥିବା ଏହି ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାବାସୀଙ୍କ ଦୁଃଖର କାରଣ ସାଜିଛି । ଏହି କଦର୍ଯ୍ୟ ରାସ୍ତାକୁ ଓହ୍ଲାଇବା କ୍ଷଣି ଗୋଡ଼େ ଗୋଡ଼େ ଗୋଡ଼ାଉଛି ବିପଦ । ନିତି ଘଟୁଛି ଦୂର୍ଘଟଣା । ପ୍ରତି ମୂହୁର୍ତ୍ତରେ ବାଜିରେ ଲାଗୁଛି ଜୀବନ । ଅକାଳରେ ଜୀବନ ଯାଉଛି । ଲୋକ ତ୍ରାହି ତ୍ରାହି ଡାକିଲେଣି । ହେଲେ ଏହି ଆର୍ତ୍ତ ଚିତ୍କାର ଶୁଣିବାକୁ କେହି ନାହିଁ ।

ଖାଲଖମାରେ ଭର୍ତ୍ତି । ନଜର ହଟିଲେ ଦୂର୍ଘଟଣା । ଧୂଳିଧୂଆଁରେ ଲୋକ ବିଷ ଗିଳୁଛନ୍ତି । ବର୍ଷା ହେଲେ ରାଜପଥ ଗାଡ଼ିଆ ପାଲଟୁଛି । ହେଲେ ଲୋକଙ୍କ ଦହଗଞ୍ଜ କାହାକୁ ଦିଶୁନି । ରାଜପଥ ପ୍ରଶସ୍ତିକରଣ କାମ ନେଇଥିବା ଠିକା ସଂସ୍ଥା ‘ଗାୟତ୍ରୀ’ କାମକୁ ମନ୍ଥର କରି ଦିନ ଗଡ଼ାଇ ଚାଲିଛି । ଠିକାସଂସ୍ଥାର ହଁରେ ହଁ ଭରି ଭାରତୀୟ ରାଜପଥ ପ୍ରଶସ୍ତିକରଣ(ଏନ୍‌ଏଚ୍‌ଆଇ) ଚୁପ ହୋଇ ବସିଛି । ଜିଲ୍ଲା ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବାନ୍ଧିଥିବା ବେଳେ ଲୋକ ପ୍ରତିନିଧିଙ୍କ ମୁହଁରେ ସତେ ଯେମିତି ତୁଣ୍ଡି, ଏକଦମ୍ ଚୁପ ରହିଛନ୍ତି । ୪ ବର୍ଷ ହେଲା ଜାତୀୟ ରାଜଌଥ ତିଆାରି ଚାଲିଛି ଯେ ଚାଲିଛି । ସେପଟେ ୫୫ ନମ୍ବର ଜାତୀୟ ରାଜପଥ ଗଣି ଗଣି ଜୀବନ ନେଉଛି । ମଝିରେ ମଝିରେ କେବଳ ଲୋକ ପ୍ରତିନିଧି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସିନା ରାଜପଥ ପ୍ରଶସ୍ତିକରଣ ସରିବାର କୂଳ କି କିନାରା କିଛି ଦିଶୁନି ।
୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ହେବ । ଗମନାଗମନ ସୁଗମ ହେବ । ଏଭଳି ରଙ୍ଗୀନ୍ ସ୍ୱପ୍ନ ଦେଖାଇ ୨୦୧୬ ମସିହାରୁ ରାଜପଥ ନିର୍ମାଣ କାମ ଆରମ୍ଭ ହେଲାଣି । ରାସ୍ତା ନିର୍ମାଣ ପାଇଁ ହଜାରେ ଦିନ ଅବଧି ସରିବା ପରେ ଠିକା ସଂସ୍ଥା ଅବଧି ବଢ଼ାଇ ଚାଲିଛି । ସେପଟେ ଜିଲ୍ଲାବାସୀଙ୍କ ଜୀବନ ଦୂର୍ବିସହ ହେବା ସହ ଚାରି ଥାକିଆ ରାସ୍ତା ସାତ ସପନ ପାଲଟିଲାଣି । ଢେଙ୍କାନାଳରୁ ସମ୍ବଲପୁର ପର୍ଯ୍ୟନ୍ତ ଏହି ରାଜପଥର ଅବସ୍ଥା ଜଣେ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବନି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାରେ ଦ୍ଵିତୀୟ ବାର ଆସିବାକୁ କେହି ମନ ବଳେଇବେନି । ବାଇପାସ୍ ନିର୍ମାଣ କଚ୍ଛପ ଗତିରେ ଚାଲିଥିବା ବେଳେ ଅନୁଗୁଳ ସହର ଭିତରେ ଭାରୀଯାନ ଆଖିବୁଜା ଗାଡ଼ି ଚଳାଉଛନ୍ତି । ଫଳରେ ରାସ୍ତାକୁ ଓହ୍ଲାଇବାକୁ ଲୋକ ଭୟ କଲେଣି । ମୁଖ୍ୟତଃ ବଅଂରପାଳ ଠାରୁ ବଡ଼କେରା ପର୍ଯ୍ୟନ୍ତ ରାସ୍ତା ଏମିତି କଦର୍ଯ୍ୟ ଯେ, ରାସ୍ତା ଉପରକୁ ଟିକେ ନଜର ହଟିଲେ ଦୂର୍ଘଟଣା ଘଟିବା ଥୟ । ନିୟମ କହୁଛି, ନୂଆଁ ରାସ୍ତା ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ଠିକା ସଂସ୍ଥା ପୁରୁଣା ରାସ୍ତାର ମରାମତି କରିବା କଥା । ମରାମତି କାମକୁ ଠିକାସଂସ୍ଥା ଗୁରୁତ୍ୱ ଦେଉନି । ମରାମତି ନାଁରେ ତାଳିପକା କାମରେ ଦିନେ କି ଦୁଇ ଦିନରେ ପୁଣି କଦର୍ଯ୍ୟ ରାସ୍ତା ନିଜ ପୁର୍ବାବସ୍ଥାକୁ ଫେରୁଛି ।
ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଛି ୫୫ ନମ୍ବର ଜାତୀୟ ରାଜପଥ । କଟକ ଓ ସମ୍ବଲପୁର ଜିଲ୍ଲା ସହିତ ଏହି ରାଜପଥ ଅନୁଗୁଳକୁ ଯୋଡୁଛି । ଏହି ରାଜପଥର ନିର୍ମାଣ କାମ ଦୁଇଟି ପର୍ଯ୍ୟାୟରେ ଗାୟତ୍ରୀ ପ୍ରୋଜେକ୍ଟସ୍‌କୁ ମିଳିଛି । ୧୨୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସମ୍ବଲଌୁର-ଅନୁଗୁଳ ଜାତୀୟ ରାଜପଥର ଠିକା କାମ ୨୦୧୬ରେ ଠିକା ସଂସ୍ଥା ଗାୟତ୍ରୀକୁ ମିଳିଛି । ଚୁକ୍ତି ମୁତାବକ ହଜାରେ ଦିନ ମଧ୍ୟରେ ରାସ୍ତା କାମ ଶେଷ ହେବା କଥା । ହେଲେ ଅବଧି ଶେଷ ହେବାକୁ ଆଉ ଦିନ କେଇଟା ଥିବା ବେଳେ ଏଯାବତ୍ ଚଉଠେ କାମ ସରିନି ।

ଆଉ କେତେ ମଲେ ଚେତିବେ?
ଜାତୀୟ ରାଜପଥରେ ନିତି ଘଟୁଛି ଦୂର୍ଘଟଣା । ଅକାଳରେ ଝଡ଼ି ପଡ଼ୁଛି ମୂଲ୍ୟବାନ ଜୀବନ । ତଥାପି ରାଜପଥ ପ୍ରଶସ୍ତୀକରଣ କାମ ସରିବାର ନାଁ ଧରୁନି । କେବଳ ୫୫ ନମ୍ବର ଜାତୀୟ ରାଜପଥ ନୁହଁ , ଜିଲ୍ଲାର ଅଧିକାଂଶ ରାସ୍ତାର ଅବସ୍ଥା ଏମିତି ଶୋଚନୀୟ ହୋଇ ପଡ଼ିଛି । କାର୍ଯ୍ୟ ରାସ୍ତା ଯୋଗୁ ପ୍ରତିଦିନ ଦୂର୍ଘଟଣା ସହିତ ଜନଜୀବନ ହାନି ଘଟୁଛି । ସରକାରୀ ତଥ୍ୟ ମୁତାବକ , ୨୦୧୮ ମସିହାରେ ଜିଲ୍ଲାର ବିଭିନ୍ନ ରାସ୍ତାରେ ୪୯୬ଟି ଦୂର୍ଘଟଣା ଘଟିଥିଲା । ଏଥିରେ ୨୧୫ ଜଣଙ୍କ ପ୍ରାଣହାନି ଘଟିଥିଲା । ୨୦୧୯ରେ ମଧ୍ୟ ଦୂର୍ଘଟଣା ସଂଖ୍ୟା ୪୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଥିଲା । ଅନୁଗୁଳ ସହର ମଧ୍ୟରେ ସମ୍ପତ୍ତିଙ୍କ ଟ୍ରକ୍ ଚାପିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା । ସଂପ୍ରତ୍ତି କରୋନା କାଳରେ ଗାଡ଼ି ଚଳାଚଳ କମିଥିବା ବେଳେ ଦୂର୍ଘଟଣା ହାର ମଧ୍ୟ କମିଛି । କିନ୍ତୁ ପ୍ରତିଦିନ ଜାତୀୟ ରାଜପଥରେ ଦୂର୍ଘଟଣାର ଚିତ୍ର ସାମ୍ନାକୁ ଆସୁଛି । ହେଲେ ପ୍ରଶାସନର ନିରବତାକୁ ଦେଖି ଆଉ କେତେ ମଲେ ପ୍ରଶାସନ ଚେତିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply