ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ ଆସିଥିବା ବେଳେ ତାଳଚେରରେ ଏକ ଚୋର ଦଳ ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ପୁଲିସ । ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇଜଣଙ୍କ ଘରୁ ଚୋରି ହୋଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ଦୁଇ ପରିବାର । ସୂଚନା ଅନୁସାରେ ପ୍ରଦତ୍ତ କୁମାର ଗଡନାୟକ ଗତ କାଲି ନାଇଟ ସିଫ୍ଟ ଡ୍ୟୁଟିରେ ଥିବା ବେଳେ ତାଙ୍କ ପରିବାର ଲୋକ ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ତାଙ୍କ ଘରୁ ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ସକାଳେ ତାଙ୍କ ଘର ଭିତରୁ ବନ୍ଦ ହୋଇଥିବାରୁ ତାଙ୍କ ପୁଅ ପ୍ରମିତ କୁମାର ଗଡନାୟକ ଘର ପଛ ପଟକୁ ଯାଇ ଦେଖିଲା ବେଳକୁ ତାଙ୍କ ଘରର ଝରକା ତଡା ହୋଇଥିବା ଜାଣିବାକୁ ପାଇଥିଲେ । ଘର ଭିତରକୁ ପଶି ଦେଖିଲା ବେଳକୁ ତାଙ୍କ ଘରୁ ନଗଦ ୧୫ ହଜାର ଟଙ୍କା , ସୁନା , ରୂପା ସହ ଲାପଟପ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସେହି ରାତିରେ ପିତାମ୍ବର ଗଡନାୟକଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ଜଣା ପଡିଛି । ରାତିରେ ଶୋଇଥିବା ସମୟରେ ପିତାମ୍ବରଙ୍କ ଘର ଝରକା ତାଡି ମନି ପର୍ସ ସହ ଏକ କାରର ଚାବି ନେଇ ଯାଇଥିବା ଜଣା ପଡିଛି । ଉଭୟ ଘଟଣାର ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି । ନାଲକୋ ଥାନା ପକ୍ଷରୁ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରା ଯାଇଛି । ସେହିଭଳି ଆଠମଲ୍ଲିକ ବ୍ଲକ୍ ତଥା ଠାକୁରଗଡ଼ ଥାନାର ଟାପଢୋଲ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଛି । କେହି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟ ଆଲମିରା ଭାଙ୍ଗି ଏକ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଏହି ଟଙ୍କା ବିଭିନ୍ନ ବର୍ଗର ହିତାଧିକାରୀଙ୍କ ଭତ୍ତା ଟଙ୍କା ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଜାଣିବା ପରେ ଘଟଣା ସମ୍ପର୍କରେ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚ ଠାକୁରଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ତାଳଚେର ରେମୁଆଁ ଅଞ୍ଚଳରୁ କିଛି ଦିନ ତଳେ ଚୋରି ହୋଇଥିବା ବେଳେ ତାଳଚେର ପୁଲିସକୁ ସଫଳତା ମିଳିଛି । ଚୋରି ହୋଇଥିବା ସୁନା ଓ ଟଙ୍କାକୁ ଜବତ କରିବା ସହ ୪ ଜଣ ଲୁଟେରାକୁ ଗିରଫ କରା ଯାଇଛି । ଗତ ୧୭ ତାରିଖରେ ରେମୁଆଁ ନୁଆଁ ସାହିର ତୁଷାରକାନ୍ତ ସେନାପତି ଘର ତାଲା ପକାଇ କୋଭିଡ ଟୀକା ନେବାକୁ ଅନୁଗୁଳ ଯାଇଥିଲେ । ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘର ତାଲା ଭାଙ୍ଗି ଘରେ ଥିବା ସୁନା ହାର , କାନଫୁଲ ଓ ୪ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ପରିବାର ଲୋକ ଟୀକା ନେଇ ଘରେ ପହଁଚିବା ପରେ ଘର ତାଲା ଭଙ୍ଗା ଯାଇ ଚୋରି ହୋଇଥିବା ଦେଖିବାକୁ ପାଇ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତାଳଚେର ପୋଲିସ ରେମୁଆଁ ଓ ଆଖପାଖ ଅଞ୍ଚଳରେ ଚଢ଼ାଉ କରି ଘଟଣାରେ ସଂପୃକ୍ତ ୪ ଜଣ ଚୋରଙ୍କୁ ଧରିବା ସହ ଚୋରି ସାମଗ୍ରୀକୁ ଜବତ କରିଥିଲା । ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1