୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦାଫାସ – ୩ ଗିରଫ

୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦାଫାସ – ୩ ଗିରଫ

ଛେଣ୍ଡିପଦା – ବିଳମ୍ବ ହେଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ଜରପଡା ପୁଲିସକୁ ଏକ ହତ୍ୟାକାଣ୍ଡ ପର୍ଦାଫାସ କରିବା ସହ ଅଭିଯୁକ୍ତ ମାଙ୍କୁ ଧରିବାର ସଫଳତା ମିଳିଛି  । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ଜରପଡା ୫୫ନଂ ଜାତୀୟ ରାଜପଥ ପାର୍ଶ୍ଵର କତଡା ଠାରେ ଥିବା କ୍ଳାସିକ ଢ଼ାବା ସମ୍ମୁଖରେ ୨୦୧୮ ମସିହା ଜୁନ ୨୨ ତାରିଖ ରାତ୍ରୀରେ ପାଣି ଟ୍ୟାଙ୍କର କ୍ୟାବିନ ଭିତରେ ଚାଳକଙ୍କ ମୃତଦେହ ମିଳିଥିଲା । ଘଟଣାର ୩ ବର୍ଷ ପରେ ଜରପଡା ପୁଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏବେ ମଧ୍ୟ ଜଣେ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ସୌଭାଗ୍ୟ ରଞ୍ଜନ ସାହୁ , ଠାକୁରଗଡ ଥାନା ଅନ୍ତର୍ଗତ ବରପାଲି ଗ୍ରାମର ବିକାଶ ନାୟକ ଓ ଜରପଡା ଥାନା ଅନ୍ତର୍ଗତ ବଡହିଁସର ଗ୍ରାମର ପୁରୁଷୋତମ ସାହୁ ଓ ଫେରାର ଥିବା ଅଭିଯୁକ୍ତ ଜରପଡା ଥାନା ଅନ୍ତର୍ଗତ ବହହିଁସର ଗ୍ରାମର ବୈକୁଣ୍ଠ ସାହୁ ବୋଲି ପୁଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ୨୨ ଜୁନ ୨୦୧୮ ମସିହାରେ ରାତ୍ରୀରେ ଜରପଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଭୋର ୩ଟା ସମୟରେ କତଡା କ୍ଲାସିକ ଢ଼ାବା ସମ୍ମୁଖରୁ ଏକ ପାଣି ବୋଝେଇ ଟ୍ୟାଙ୍କର ନଂ(ଓଆର୨୧,୭୬୦୮) କ୍ୟାବିନ ଭିତରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଥିଲା । ଯୁବକ ଜଣକ ସେହି ଟ୍ୟାଙ୍କର ଚାଳକ ଜ୍ଞାନେନ୍ଦ୍ର ଦେହୁରୀ ଓ ତାଙ୍କ ଘର ଜରପଡା ଥାନାର ଦୁର୍ଗାପୁର ଗ୍ରାମର ମଝିସାହିରେ ବୋଲି ଜଣାପଡିଥିଲା । ତେବେ ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଢ଼ାବା ପକ୍ଷରୁ ଚାଳକଙ୍କୁ ମାରି ଦିଆଯାଇଥିବା ସନ୍ଦେହ କରି ଢ଼ାବା ଭଙ୍ଗାରୁଜା କରିବା ସହିତ ଢ଼ାବାର ଗୋଟିଏ ପିକଅପ ଭ୍ୟାନ , ଗୋଟିଏ ବାଇକ ଓ ଢ଼ାବାର ବହୁ ଆସବାବ ପତ୍ରକୁ ଢ଼ାବା ନିକଟରେ ଥିବା ଏକ ପରିତ୍ୟକ୍ତ କୁଅରେ ପକାଇବା ସହ ଗୋଟିଏ ବାଇକରେ ନିଆଁ ଲଗାଇ ଦେଇଥିଲେ । ଏହାପରେ କ୍ଷତିପୁରଣ ଦାବି କରି ଜାତୀୟ ରାଜପଥକୁ ଢ଼ାବା ସମ୍ମୁଖରେ ଟାୟାର ଜାଳି ଅବରୋଧ କରିଥିଲେ । ପୁଲିସ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ମୃତ ଚାଳକ ଗାୟତ୍ରୀ କନଷ୍ଟ୍ରକସନର ଉକ୍ତ ଟ୍ୟାଙ୍କର ଚଳାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ଚାଳକଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରି ରାସ୍ତା ଅବରୋଧ କରିଥିଲେ । ବହୁ ବୁଝାସୁଝା ପରେ ଗାୟତ୍ରୀ କନଷ୍ଟ୍ରକସନ ପକ୍ଷରୁ ଜ୍ଞାନେନ୍ଦ୍ରଙ୍କ ପରିବାରକୁ ୧ଲକ୍ଷ ଟଙ୍କା , ପାଣି ଟ୍ୟାଙ୍କର ଗାଡି ମାଲିକଙ୍କ ପକ୍ଷରୁ ୨୦ହଜାର ଟଙ୍କା , ରେଡକ୍ରସ ଫଣ୍ଡରୁ ୧୦ହଜାର ଟଙ୍କା ସହ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟିଥିଲା । ପାରିପାର୍ଶିକ ପରିସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଥିବାବେଳେ ଏହାର ସଠିକ ତଦନ୍ତ ପାଇଁ ଜନସାଧାରଣ ଦାବି କରି ଜରପଡା ଥାନାରେ ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଜ୍ଞାନେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ଜରପଡା ପୁଲିସ ସେହିଦିନ ଠାରୁ ତଦନ୍ତ ଜାରି ରଖିଥିଲା । ଦୀର୍ଘ ୪ବର୍ଷପରେ ଉକ୍ତ ଘଟଣାର ଜରପଡା ପୁଲିସ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ପୋଲିସ ସାଇଣ୍ଟିଫିକ ରିପୋର୍ଟ , ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ପୋଲିସ ଘଟଣାର ତଦନ୍ତ କରିଥିଲା । ଏହି ତଦନ୍ତ ବେଳେ ପୋଲିସ ଢାବାର କର୍ମଚାରୀ ମାନଙ୍କର ହାତ ଥିବା ନେଇ ଜଣା ପଡିଥିଲା । ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଢାବାର ତିନିଜଣ କର୍ମଚାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଜୁନ ୨୨ ତାରିଖ ଦିନ ପାଣି ଟ୍ୟାଙ୍କର ଡ୍ରାଇଭର ଖାଇବା ପାଇଁ ଉକ୍ତ ହୋଟେଲକୁ ଯାଇଥିଲେ । ସେଠାରେ ମଦ୍ୟପାନ କରି ଢାବା କର୍ମଚାରୀ ମାନଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଢାବାର କର୍ମଚାରୀ ମାନେ ଡ୍ରାଇଭର ଜ୍ଞାନେନ୍ଦ୍ରକୁ ପ୍ରବଳ ମାଡମାରି ମୁମୁର୍ଷୁ ଅବସ୍ଥାରେ ଆଣି ଗାଡି ଟ୍ୟାଙ୍କରେ ପକାଇ ଦେଇଥିଲେ । ଏହାପରେ ସକାଳେ ତାଙ୍କର ମୃତ ଦେହ ଟ୍ୟାଙ୍କରରୁ ଉଦ୍ଧାର କରାଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply