ଅନୁଗୁଳ – କୌଣସି ରକ୍ତ ସମ୍ପର୍କ ନାହିଁ । ହେଲେ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ସୁଦୂର ରାଉରକେଲାରୁ ଆସିଲେ ଅନୁଗୁଳ । ଆଉ ବିରଳ ଗ୍ରୁପ୍ର ରକ୍ତଦାନ କରି ଜଣେ ଗର୍ଭବତୀ ମହିଳାଙ୍କୁ ନୂଆ ଜୀବନ ଦେଇଗଲେ । ସୋମବାର ରାଉରକେଲା ଅଞ୍ଚଳର ଜଣେ ଯୁବକଙ୍କ ଏହି ମହାନତା ଅନୁଗୁଳ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁସାରେ , ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ସରାଙ୍ଗ ଗାଁର ମୁନା ବେହେରାଙ୍କ ସ୍ତ୍ରୀ ପ୍ରମିଳା ବେହେରା ୯ ମାସର ଗର୍ଭବତୀ । ଗତ ୨୦ ତାରିଖ ଦିନ ରକ୍ତ ପରୀକ୍ଷା ବେଳେ ହିମୋଗ୍ଲୋବିନର ପରିମାଣ ୬ ପ୍ରତିଶତକୁ ଖସି ଆସିଥିବା ଜଣାପଡ଼ିଥିଲା । ଡାକ୍ତର ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ପରୀକ୍ଷା ବେଳେ ଜଣାପଡ଼ିଲା ପ୍ରମିଳାଙ୍କ ରକ୍ତ ଗ୍ରୁପ୍ ହେଉଛି ‘ଓଏଚ୍ ପିଜିଟିଭ୍’(ବମ୍ବେ ଫେନୋଟାଇପ୍) । ଯାହାକି ଏକ ବିରଳ ଗ୍ରୁପ୍ର ରକ୍ତ । ଏକ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରାୟ ୪ ଜଣଙ୍କ ଠାରେ ଏହି ଗ୍ରୁପ୍ର ରକ୍ତ ଥିବା ଦେଖିବାକୁ ମିଳିଥାଏ । ‘ବମ୍ବେ ଫେନୋଟାଇପ୍’ ଗ୍ରୁପ୍ ସଂପର୍କରେ ଶୁଣିଲା ପରେ ଅତି ଗରିବ ମୁନା ଓ ତାଙ୍କ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା । ବିଭିନ୍ନ ଲୋକଙ୍କ ସହିତ ଯୋଗାଯୋଗ ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ବି ଏହି ଗ୍ରୁପ୍ର ରକ୍ତଦାତାଙ୍କ କୌଣସି ସନ୍ଧାନ ମିଳିନଥିଲା । ପରେ ପ୍ରମିଳାଙ୍କ ଦିଅର ନରେଶ ବେହେରା ଅନୁଗୁଳ ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ଜିଲ୍ଲାର ଜଣେ ରକ୍ତଦାତା ପୂର୍ବରୁ ବିଭିନ୍ନ ସ୍ଥାନରେ ଏହି ବିରଳ ରକତଦାନ କରିଥିବା ରାଉରକେଲାର ରଜତ ଏକ୍କାଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ରଜତ ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଆଉ ଭୋର୍ରେ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ ଧରି ଅନୁଗୁଳରେ ପହଞ୍ଚି ଯାଇଥିଲେ । ଅନୁଗୁଳ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ । ବମ୍ବେ ଫେନୋଟାଇପ୍ ରକ୍ତ ବିରଳ । ସାରା ଦେଶରେ କମ ଲୋକଙ୍କ ରକ୍ତ ଏହି ବମ୍ବେ ଫେନୋଟାଇପ୍ ବର୍ଗ ରହିଛି । ଏପରି କ୍ଷେତ୍ରରେ ରଜତ ୧୨ ଥର ରକ୍ତଦାନ କରି ସାରିଲେଣି । ଆଉ ଏହି ବିରଳ ରକତଦାନ କରି ଅନ୍ୟର ଜୀବନ ବଞ୍ଚାଇ ପାରୁଥିବାରୁ ସେ ଖୁସି ଅଛନ୍ତି । ଆଉ ଆଗକୁ ମଧ୍ୟ କାହାର ଆବଶ୍ୟକତା ପଡିଲେ ସେ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।
What’s your Reaction?
+1
+1
+1
+1
+1
+1
+1