ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼ – ପୁଲିସ ସାଜିଲା ଦେଖଣାହାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼ – ପୁଲିସ ସାଜିଲା ଦେଖଣାହାରୀ

ଅନୁଗୁଳ – ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଆଗରେ ଠକେଇ କରିଥିବା ଯୁବକଙ୍କୁ ଯିଏ ଯେମିତି ପାରିଲା ପିଟିଲା । ସୂଚନା ଅନୁସାରେ ଛେଣ୍ଡିପଦା ଅଞ୍ଚଳର ଲିପୁନ ସାହୁ ନାମକ ଜଣେ ଯୁବକ ତାଙ୍କ ବାପାଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଲିପୁନଙ୍କ ବାପାଙ୍କ ଦେହ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଗୋଟିଏ ଔଷଧ କିଣି ଆଣିବାକୁ କହିଥିଲେ । ଏହି ସମୟରେ ପାଖରେ ଥିବା ଅନ୍ୟ ଜଣେ ଯୁବକ ଲିପୁନଙ୍କୁ ଔଷଧ ଆଣିଦେବାକୁ ୫ ଶହ ଟଙ୍କା ମାଗି ନେଇଥିଲେ । ପରେ ଔଷଧ ଆଣିଲେ ନାହିଁ କି ଟଙ୍କା ବି ଫେରସ୍ତ କଲେ ନାହିଁ । ଟଙ୍କା ନେଇ ଛୁ ମାରିଥିଲେ । କିଛି ସମୟ ପରେ ସଂପୃକ୍ତ ଯୁବକ ଜଣଙ୍କ ଡାକ୍ତରଖାନା ପରିସରରେ ବୁଲୁଥିବା ଦେଖିଥିଲେ ସୁରକ୍ଷାକର୍ମୀ । ଲିପୁନକୁ ଡାକି ଉକ୍ତ ଯୁବକକୁ ଚିହ୍ନଟ କରିଥିଲେ । ଟଙ୍କା ଫେରସ୍ତ ମାଗିବାରୁ ସେହି ଟଙ୍କାରେ ମଦ ପିଇ ଦେଇଥିବା ଯୁବକ କହିବା ପରେ ଆରମ୍ଭ ହୋଇଥିଲା ମାଡ । ଡାକ୍ତରଖାନାର କିଛି କର୍ମଚାରୀ ଓ ଅନ୍ୟ ଲୋକ ମିଶି ଯୁବକଙ୍କୁ ପିଟିବା ସହ ବସ୍ଉଠ କରାଇଥିଲେ । ସେତେବେଳେ ଫାଣ୍ଡିରେ ଥିବା ପୁଲିସ କର୍ମଚାରୀ ଦେଖଣାହାରୀ ସାଜିଥିଲେ । କେହି ଅଟକାଉ ନଥିଲେ । ଶେଷରେ ଅନୁଗୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଅଟକ ରଖିଛି । ଟଙ୍କା ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ଦଣ୍ଡ ଦେବା ପୁଲିସର କାମ । ଫାଣ୍ଡି ଆଗରେ ପୁଲିସ ଉପସ୍ଥିତିରେ ତାଙ୍କୁ ଏମିତି ନିର୍ଦ୍ଦୟ ଭାବରେ କିଛି ଲୋକ ମାଡ଼ ମାରିବା ଓ ନିର୍ଯାତନା ଦେବା କଣ ଠିକ୍ ? ଯୁବକ ଜଣଙ୍କ ତାଙ୍କ ଭୁଲ ସ୍ୱୀକାର କରିବା ପରେ ବି ତାଙ୍କୁ ପିଟିବା କଣ ଠିକ୍ ? ପୁଲିସ ନିରବଦ୍ରଷ୍ଟା ସାଜିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛି । ଏନେଇ ଅନୁଗୋଳ ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply