ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି ତିନି ଜଣଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ଘୋଷାଡ଼ି ନେଇ ନଦୀରେ ଫୋପାଡି ଦେଇଥିବା ଜଣା ପଡିଛି ।
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା କୁଞ୍ଜାମ ଗାଁରରେ ଗତ ୩୦ ତାରିଖ ରେ ମୋଟେଇ ଗାଗରାଇଙ୍କ ପତ୍ନୀ ଶ୍ରୀମତୀ ତାଙ୍କ ସ୍ୱାମୀ ନିଖୋଜ ଥିବାର ଅଭିଯୋଗ ଖମାର ଥାନାରେ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ଖମାର ପୋଲିସ ତନାଘନା କରିଥିଲା । ତେବେ ତଦନ୍ତ ବେଳେ କେବଳ ମୋଟେଇ ଯେ ନିଖୋଜ ତା ନୁହେଁ , ତାଙ୍କ ସହ ଅନ୍ୟ ଦୁଇ ଜଣ ବୁଧୁରାମ ଚାତର ଓ ବୁଧୁରାମଙ୍କ ପତ୍ନୀ ମୁନୀ ଚାତର ମଧ୍ୟ ନିଖୋଜ ଥିବା ପୁଲିସ ଜାଣିବାକୁ ପାଇଥିଲା । ସନ୍ଦେହରେ ସାହିର କିଛି ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ଆଣି ପଚାରା ଉଚରା କରିଥିଲା । ଏହି ତଦନ୍ତ ଚାଲିଥିବା ବେଳେ ଗତ କାଲି(ରବିବାର) ଗାଁ ଠାରୁ ୫ କିମି ଦୂର ନଦୀ ପଠାରୁ ବୁଧୁ ଚାତରଙ୍କ ମୃତ ଦେହ ଉଧାର ହୋଇଥିଲା । ଆଜି(ସୋମବାର) ପୁଣି ଖମାର ପୁଲିସ ସମଲ ଥାନା ଅନ୍ତର୍ଗତ ଗହମ ଗ୍ରାମ ନିକଟ ନଦୀ କୂଳରେ ଏକ ମୃତ ଦେହ ଭାସୁଥିବାର ଖବର ପାଇଥିଲା । ଶବ ଚିହ୍ନଟ ପରେ ଉକ୍ତ ମୃତ ଦେହ ମୋଟେଇ ଗାଗରାଇଙ୍କର ବୋଲି ଜାଣିବାକୁ ପାଇଥିଲା । କିନ୍ତୁ ମୁନୀ ଚାତରଙ୍କ ମୃତ ଦେହ ଏ ଯାଏ ମିଳିନଥିବା ପୁଲିସ ପକ୍ଷରୁ ପ୍ରକାଶ କରା ଯାଇଛି । ତେବେ ଏହା ଏକ ହତ୍ୟାକାଣ୍ଡ ଏବଂ ଏହି ହତ୍ୟାକାଣ୍ଡରେ ଗାଁର ଦୁଇ ନାବାଳକ ସମେତ ମୋଟ ୬ ଜଣଙ୍କ ସମପୃକ୍ତି ଥିବା ପୁଲିସ ଜାଣି ସାରିଥିଲା । ଆଉ ଏହି ହତ୍ୟା ଘଟଣାରେ ଶଙ୍କର ପୂର୍ତ୍ତି , ନିରଞ୍ଜନ ଚାମ୍ପିଆ , ଚନ୍ଦ୍ର ଡଙ୍ଗ , ଟିଟୁ ଡଙ୍ଗ ଓ ଦୁଇ ନାବାଳକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ବିଭିନ୍ନ କାରଣ ରହିଥିବା ଜଣା ପଡ଼ିଛି ।
ସୂଚନା ଅନୁସାରେ ମୃତ ମୋଟେଇ ଗାଗରାଇଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ତେବେ ବର୍ଷକିଆ ଭୋଜିରେ ସେ ଖାସି ମାଂସ ବଦଳରେ କୁକୁଡ଼ା ମାଂସ ଦେବାରୁ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା । ଅପର ପକ୍ଷରେ ମୃତ ବୁଧୁ କିଛି ବର୍ଷ ତଳେ ତାଙ୍କ ବିଧବା ଶଳାଭାଉଜ (ମୁନୀ ଚାତର)କୁ ବିବାହ କରି ଘରକୁ ଆଣିଥିଲେ । ସେହି ସମୟରେ ତାଙ୍କର ଏକ ପୁଅ ଓ ଝିଅ ଥିଲେ । କିନ୍ତୁ ମୁନୀ ଛୁଆ ମାନଙ୍କୁ ଛାଡି ବିବାହ କରିବା ପୁଅ ଶଙ୍କର ପୂର୍ତ୍ତି ସେତେବେଳେ ସହ୍ୟ କରି ପାରି ନଥିଲା । ପୁରୁଣା ରାଗ ମନ ଭିତରେ ଥିଲା । ଏଥି ସହିତ ସେ ମଧ୍ୟ ବିବାହ ଭୋଜି ଦେଇନଥିବାରୁ ତାଙ୍କୁ ମଧ୍ୟ ଗାଁ ବାସନ୍ଦ କାରାଯାଇଥିଲା । ୟା ଭୀତରେ ଟିଟୁ ଡଙ୍ଗର ଗୋଟିଏ ଭାଇ ଗତ କିଛି ଦିନ ହେବ ଜ୍ଵରରେ ପଡି ମୃତ୍ୟୁ ମୁଖରେ ପଡିଥିଲା । ସେ ମରିବାର କାରଣ ଗୁଣି ଗାରେଡି ବୋଲି ସେ ସନ୍ଦେହ ମଧ୍ୟ କରୁଥିଲା । ଏହି ସବୁ ଘଟଣାର ରାଗ ସମେତ ମୁଖ୍ୟତଃ ଗୁଣି ଗାରେଡି କରୁଥିବା ସନ୍ଦେହରେ ସଙ୍ଘବନ୍ଧ ଭାବେ ଏହି ୬ ଜଣ ବୁଧୁଙ୍କ ଘରକୁ ଆସି ଏକ ବାହୁଙ୍ଗା ବାଡ଼ିରେ ପ୍ରଥମେ ମୋଟେଇ ମୁଣ୍ଡରେ ଶକ୍ତ ପ୍ରହାର ଦେଇ ହତ୍ୟା କରିବା ପରେ ବୁଧୁ ଓ ମୁନୀକୁ ହତ୍ୟା କରିଥିଲେ । ତିନି ଜଣଙ୍କୁ ହତ୍ୟା କରିବା ପରେ ମୃତ ଦେହ ଗୁଡିକୁ ଫୋପାଡିବାକୁ ଯୋଜନା କରିଥିଲେ । ତିନି ଜଣଙ୍କୁ ଦଉଡି ସାହାଯ୍ୟରେ ବାନ୍ଧି ଗାଁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇ ଘର ଠାରୁ ପାଖାପାଖି ୧ କିମିରୁ ଅଧିକ ହେବ ସମାକୋଇ ନଦୀକୁ ଫୋପାଡି ଦେଇଥିଲେ । ଦୋଷୀ ମାନେ ହତ୍ୟା କାଣ୍ଡର ସମ୍ପୂର୍ଣ୍ଣ ଘଟଣାବଳୀ ପୁଲିସକୁ ଆଗରେ ବଖାଣିଛନ୍ତି ବୋଲି ଖମାର ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରକାଶ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1