ଚାକିରି ନାଁରେ ଠକେଇ – ମାଷ୍ଟର ମାଇଣ୍ଡ ଦମ୍ପତି ଗିରଫ

ଚାକିରି ନାଁରେ ଠକେଇ – ମାଷ୍ଟର ମାଇଣ୍ଡ ଦମ୍ପତି ଗିରଫ

* ୨ କୋଟିରୁ ଅଧିକ ଟଙ୍କା ଠକି ଥିବା ସ୍ପଷ୍ଟ । 

* ଓଡିଶା ସମେତ ୭ ରାଜ୍ୟରେ କରିଥିଲେ ଠକେଇ

* ନକଲି ପେପର ସାଙ୍ଗକୁ ନକଲି ଷ୍ଟାମ୍ପ ଜବତ

* କରୁଥିଲେ ଫେକ ଇଣ୍ଟରଭ୍ୟୁ । 

ଅନୁଗୁଳ – ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଯୁବକ ଯୁବତୀ ମାନଙ୍କୁ ଠକୁଥିବା ଏକ ଆନ୍ତଃରାଜ୍ୟ ଠକ ଗ୍ୟାଙ୍ଗର ଅନୁଗୁଳ ପୁଲିସ ପର୍ଦାଫାସ କରିଛି । ନିଯୁକ୍ତି ନାମରେ ଠକେଇ କରୁଥିବା ଏହି ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଦମ୍ପତିଙ୍କୁ ଅନୁଗୁଳ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ପାଖରୁ ବହୁ ଜାଲ କାଗଜପତ୍ର , ଆଇଡେଣ୍ଟି କାର୍ଡ , ନିଯୁକ୍ତ ପତ୍ର , ଷ୍ଟାମ୍ପ, କ୍ରେଡିଟ୍ କାର୍ଡ , ଟଙ୍କା ଓ କାର ଜବତ କରିଛି ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତାଳଚେର ଥାନାରେ ଗତ ଫେବ୍ରୁଆରୀ ମାସରେ ଅନୁଗୁଳ ବେଣାଗାଡ଼ିଆ ଗାଁର ପ୍ରାଣବନ୍ଧୁ ଜେନା ନାମକ ଜଣେ ବ୍ୟକ୍ତି ଶିମିଳିପଡାର ଘନଶ୍ୟାମ ମିଶ୍ର ନାମକ ଜଣେ ବ୍ୟକ୍ତି ଚାକିରୀ କରାଇ ଦେବା ନାମରେ ତାଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଲିଖିତ ଅଭିଯୋଗ କରିଥିଲେ । ପ୍ରାଣବନ୍ଧୁଙ୍କ ପୁଅକୁ ଟାଟା କମ୍ପାନୀରେ ଚାକିରୀ କରାଇ ଦେବାକୁ ଏହି ଟଙ୍କା ନେଇଥିବା ସେ ଅଭିଯୋଗ କରିବା ସହ ଘନଶ୍ୟାମ କୌଣସି ଚାକିରି ଦେଇ ନଥିବା ସହ ଟଙ୍କା ଫେରସ୍ତ କରୁନଥିବା ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ଘନଶ୍ୟାମ ଓ ତାଙ୍କ ପୁଅ ଶୋଭନକୁ ଗିରଫ କରିଥିଲା । ତେବେ ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ପୁଲିସ ଏହି ଘଟଣାରେ ଏକ ବଡ ଧରଣର ରାକେଟ ଥିବା ଜାଣିବାକୁ ପାଇଥିଲା । ଆଉ ତଦନ୍ତ ବେଳେ ଏହି ଠକେଇ ଅଭିଯୋଗରେ ଆଉ ୫ ଜଣଙ୍କୁ ପରେ ଗିରଫ କରିଥିଲା । ତେବେ ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ଫେରାର ଥିଲା । ଆଜି ସେହି ମାଷ୍ଟର ମାଇଣ୍ଡ ରାଉରକେଲାର ଚଇତାଲି ମୁଖାର୍ଜୀ ଓ ତାର ସ୍ୱାମୀ ଉତ୍ତରପ୍ରଦେଶ ଆଗ୍ରାର ମର୍ଗଙ୍କ ଗୁପ୍ତାକୁ ଗିରଫ କରିଛି । ଏହି ଦୁଇ ଜଣଙ୍କୁ ଗିରଫ ପରେ ଏହି ଘଟଣାରେ ଗିରଫ ସଂଖ୍ୟା ୯ ରେ ପହଞ୍ଚିଛି ଅନେକ ଦିନ ହେଲା ଏହି ଦୁଇ ମାଷ୍ଟରମାଇଣ୍ଡକୁ ଟ୍ରାକ କରିବା ପରେ ଶେଷରେ ପୁଲିସ ପଶ୍ଚିମବଙ୍ଗରୁ ଗିରଫ କରିଥିଲା । ଚଇତାଲି ନିଜକୁ ଟାଟା ଗ୍ରୁପ୍‌ର ଏଚ୍‌ଆର ଭାବେ କହୁଥିବା ବେଳେ ନିଜ ନାମ ଦୀପିକା ବାନାର୍ଜୀ ରଖିଥିଲେ । ସେହି ଭଳି ଆଗ୍ରାର ମର୍ଗ ନିଜକୁ ଶିବ କୁମାର ନାମରେ ଟାଟା ଗ୍ରୁପ୍‌ର ଏଜିଏମ୍ ବୋଲି ନିଜକୁ କହୁଥିଲେ ଏହି ଠକ ରାକେଟ ଯେ କେବଳ ଅନୁଗୁଳରେ ସେମାନଙ୍କ ରାକେଟ ଚଳାଇଥିଲେ ତା ନୁହେଁ । ଓଡ଼ିଶାର ଅନେକ ସ୍ଥାନ ସମେତ , ଛତିଶଗଡ଼ , ଝାଡଖଣ୍ଡ , ଜାମୁକାଶ୍ମୀର , ବିହାର , ମହାରାଷ୍ଟ୍ର , ପଶ୍ଚିମବଙ୍ଗ ଆଦିରେ ମଧ୍ୟ ଶିକ୍ଷିତ ଯୁବକ ମାନଙ୍କୁ ନିଜ ଫାସରେ ଫସାଉଥିଲେ । ଚାକିରୀ ଦେବା କୁ କହି ମୋଟା ଅଙ୍କର ଟଙ୍କା ନେବା ପରେ ମିଛ ଇଣ୍ଟରଭ୍ୟୁ , ୱାର୍କସପ କରିଵା ସହ ମିଛ ଆପଏଣ୍ଟମେଣ୍ଟ ଲେଟର ମଧ୍ୟ ଦେଉଥିଲେ । ଅନୁଗୁଳ ପୁଲିସ ୫୦ ଜଣ ଯୁବକଙ୍କୁ ଏମାନେ ଠକେଇ କରିଥିବା ଜାଣିବାକୁ ପାଇଥିବା ବେଳେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିଥିବା ଜାଣିବାକୁ ପାଇଛି । ତେବେ ଯେତିକି ଠକେଇ ହୋଇଥିବା ଜଣା ପଡ଼ିଛି ତା ଠାରୁ ୧୦ ଗୁଣା ଅଧିକ ଯୁବକ ଓ ସେମାନଙ୍କ ପରିବାରଙ୍କୁ ଠକିଥିବା ଅନୁମାନ କରା ଯାଉଛି । ସେମାନଙ୍କ ନିକଟରୁ ୧୮ ଟି କ୍ରେଡିଟ କାର୍ଡ , ନଗଦ ୩ ଲକ୍ଷ ୯୭ ହଜାର ଟଙ୍କା , ୭ ଟି ମୋବାଇଲ ଫୋନ , ୨ ଟି ଲାପଟପ , ଏକ କାର ସମେତ, ଫେଂକ ଆପଏଣ୍ଟମେଣ୍ଟ ଲେଟର , ଆଇଡି କାର୍ଡ , ଟାଟା କମ୍ପାନୀର ନକଲି ସିଲ ଆଦି ଜବତ କରା ଯାଇଛି ।

What’s your Reaction?
+1
3
+1
3
+1
0
+1
1
+1
13
+1
3
+1
0

Leave a Reply