ଭୁବନେଶ୍ବର – କଟକ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ କଟକ, ଢ଼େଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁର ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଜାଗା ଜାଗାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବଡ଼ ଗାଡ଼ି ଦୂରର କଥା, ବାଇକ୍ରେ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଲାଣି । ଏଭଳି ସମୟରେ ଏହି ୪ଟି ଜିଲାବାସୀଙ୍କ ତରଫରୁ ଶୀଘ୍ର ଜାତୀୟ ରାଜପଥ ନିର୍ମାଣ ପାଇଁ ଦାବି ଜୋର୍ ଧରିବାରେ ଲାଗିଛି । ସଂପୃକ୍ତ ଠିକା ସଂସ୍ଥାର ଅପରାଗତା ଯୋଗୁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଦେଖିବାକୁ ମିଳୁଛି । ଏଭଳି ସମୟରେ ବିଧାନସଭାରେ ମନ୍ତ୍ରୀ କହିଛନ୍ତି- କେବେ ସରିବ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ।
ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଧାନସଭାରେ ଜାତୀୟ ରାଜପଥ ନିର୍ମାଣ ସଂପର୍କରେ ଅଣତାରକା ପ୍ରଶ୍ନ ପଚାରିଥିଲେ । ମଙ୍ଗୁଳି, ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ କେବେ ସୁଦ୍ଧା ପୂର୍ଣ୍ଣାଙ୍ଗ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବୁଝାମଣାପତ୍ର ସ୍ବାକ୍ଷର କରିଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ଓ ଏହା କେବେ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ, ଏନେଇ ବିଧାୟକ ସାଏ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖିଛନ୍ତି ନିର୍ମାଣ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ । ମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ସଂପ୍ରସାରଣ ୩ଟି ସ୍ତରରେ କାର୍ଯ୍ୟକାରୀ ହେଉଛି । ସେଗୁଡ଼ିକ ହେଲା କଟକରୁ ଅନୁଗୋଳ ସେକ୍ସନ(୪ଶହ ମିଟରରରୁ ୬୦କିମି୨ଶହ ମିଟର), କଟକରୁ ଅନୁଗୋଳ ସେକ୍ସନ(୬୦କିମି ୨ଶହ ମିଟର ଠାରୁ ୧୧୨କିମି) ଏବଂ ଅନୁଗୋଳ ଠାରୁ ସମ୍ବଲପୁର ସେକ୍ସନ(୧୧୨କିମି ଠାରୁ ୨୬୫କିମି)। ପ୍ରଥମ ସ୍ତର ବା ୪ଶହ ମିଟରରୁ ୬୦କିମି୨ଶହ ମିଟର ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୧୮ ମସିହା ଜାନୁୟାରୀ ୧୯ ତାରିଖରେ ଆରମ୍ଭ ହୋଇଥିଲା । ଚୁକ୍ତିନାମା ଅନୁଯାୟୀ ୨୦୨୦ ମସିହା ଜୁଲାଇ ୧୭ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ସୁଦ୍ଧା ୫୨ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଏଣୁ ୨୦୨୨ ମସିହା ଜୁନ୍ ୩୦ ତାରିଖରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମ୍ଭାବ୍ୟ ତାରିଖ ଧାର୍ଯ୍ୟ କରାଯାଇଛି । ଦ୍ବିତୀୟ ସ୍ତର ବା ୬୦କିମି ୨ଶହ ମିଟର ଠାରୁ ୧୧୨କିମି ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା । ଚୁକ୍ତିମାନା ଅନୁଯାୟୀ, ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୧ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୨୦୨୨ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସମ୍ଭାବ୍ୟ ତାରିଖ ଧାର୍ଯ୍ୟ କରାଯାଇଛି । ତୃତୀୟ ସ୍ତର ବା ୧୧୨କିମି ଠାରୁ ୨୬୫ କିମି ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୧୭ ମସିହା ମାର୍ଚ୍ଚ ୩ ତାରିଖରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୫୪ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୨୦୧୯ ମସିହା ସେପ୍ଟେମ୍ବର ୨୯ ତାରିଖ ସୁଦ୍ଧା ନିର୍ମାଣ ଶେଷ ହେବାକୁ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୫୪ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୨୦୨୨ ମସିହା ଜୁନ୍ ୩୦ ତାରିଖରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମ୍ଭାବ୍ୟ ତାରିଖ ଧାର୍ଯ୍ୟ କରାଯାଇଥିବା ନେଇ ମନ୍ତ୍ରୀ ମଲ୍ଲିକ ବିଧାନସଭାରେ ସୂଚନା ଦେଇଛନ୍ତି ।
What’s your Reaction?
+1
5
+1
2
+1
2
+1
5
+1
8
+1
12
+1
5