ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ ଯୋଗୁ ପାଣିରେ ବୁଡୁଥିବା କରତପଟା-ପମ୍ପାସର ପୂର୍ତ୍ତବିଭାଗ ରାସ୍ତା ନିମନ୍ତେ ଡାହାଣ ପାର୍ଶ୍ୱ ପାହାଡ଼ ଉପର ଅଂଶରେ ଏକ ବିକଳ୍ପ ରାସ୍ତା ନିର୍ମାଣ ହେବ । ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କେମିତି ଅଗ୍ରଗତି ହେବ ଏବଂ ଜିଲ୍ଲାର ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ଉପରେ ଅନୁଗୁଳ ସର୍କିଟ ହାଉସ ଠାରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଏକ ସମୀକ୍ଷା ବୈଠକ କରିଥିଲେ । ହିଡିସିଙ୍ଗ ପ୍ରକଳ୍ପ ପାଇଁ ମୋଟ ୩ ଶହ ହେକ୍ଟର ଜମି ଆବଶ୍ୟକ ରହିଛି । ପ୍ରକଳ୍ପ ନିର୍ମାଣ ହେଲେ ପୂର୍ତ୍ତବିଭାଗ ରାସ୍ତାର ୩.୫ କିଲୋମିଟର ପାଣିରେ ବୁଡିଯିବ । ଉକ୍ତ ରାସ୍ତା ପରିବର୍ତ୍ତେ ୫ କିଲୋମିଟର ନୂତନ ରାସ୍ତା କରତପଟା ଗ୍ରାମ ଦେଇ ପବଲା, କୃଷ୍ଣ ଚକ୍ରଗଡ଼ ଜଙ୍ଗଲ ଦେଇ ପମ୍ପାସର ପୋଲ ପାଖରେ ମିଶିବ । ପ୍ରକଳ୍ପ ଓ ରାସ୍ତା ବୁଡି ଅଞ୍ଚଳ, ନୂତନ ରାସ୍ତା ନିର୍ମାଣ ହେଲେ ସମୁଦାୟ ୮୭ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେଉଛି । ଏହାର ଭରଣା ପାଇଁ ଦେବଗଡ଼ ବନଖଣ୍ଡର ପାଲଲହଡ଼ା ରେଞ୍ଜ ବରାଡ଼ିହ, କାଦମ୍ବିନୀ ପୁର, ତନୁଗୁଳା ଅଞ୍ଚଳରୁ ୯୪ ହେକ୍ଟର ସରକାରୀ ଜମି ଏବଂ ଅନୁଗୁଳ ବନଖଣ୍ଡ ଅଞ୍ଚଳରୁ ୧୨୦ ହେକ୍ଟର ଖୋଲା ଜଙ୍ଗଲ ଜମିରେ ସମୁଦାୟ ୭୦ ହଜାର ଗଛ ଲାଗିବାର ପ୍ରସ୍ତାବ ରହିଛି । ସେହିପରି ରାସ୍ତା ନିର୍ମାଣ ପାଇଁ ପିଲର ପୋଷ୍ଟିଂ, ଡିଜିପିଏସ, ଜିପିଏସ ରିଡିଙ୍ଗ ହେବା ସହିତ ମ୍ୟାପ କାର୍ଯ୍ୟ ସରିଛି । କାର୍ଯ୍ୟ କେମିତି ତ୍ଵରାନ୍ବିତ ହେବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ସମୀକ୍ଷା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ADM ସନ୍ତୋଷ ପ୍ରଧାନ , ଉପଜିଲ୍ଲାପାଳ ବାସୁଦେବ ଶତପଥୀ , ତହସିଲଦାର , ବନବିଭାଗ ଓ ଜଳସେଚନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
What’s your Reaction?
+1
3
+1
1
+1
1
+1
1
+1
2
+1
+1