ଛେଣ୍ଡିପଦା – ନିଶା ବେପାର କରି ଅର୍ଜିଥିଲେ କୋଟି କୋଟି ଟଙ୍କା । ରାତାରାତି ହୋଇଥିଲେ କୋଟିପତି । ଏବେ କଳା ସମ୍ପତ୍ତିକୁ ଜବତ କଲା ପୋଲିସ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳ ଗାଁର ଚିତ୍ତ ରଞ୍ଜନ ସାହୁ @ ପିଣ୍ଟୁ ସାହୁ ନାମକ ଜଣେ ଗଞ୍ଜେଇ ବେପାରୀଙ୍କ ଘରେ ଆଜି ଚଢ଼ାଉ କରି ଏହି ସବୁ ସମ୍ପତ୍ତି ଜବତ କରିଛି । ସୂଚନା ଅନୁସାରେ ପିଣ୍ଟୁ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଗଞ୍ଜେଇ ବେପାର କରି ଆସୁଥିଲେ । ହେଲେ ଅତି ଚତୁରତାର ସହ ପୁଲିସକୁ ସେ ଚକମା ଦେଖାଇ ବେପାରରେ ସଫଳ ହେଉଥିଲେ । ତେବେ ଗତ ଜୁଲାଇ ମାସରେ ଗଞ୍ଜେଇ ବେପାରରେ ପିଣ୍ଟୁଙ୍କ ଆକାଉଣ୍ଟରେ ଟଙ୍କା ନେଣ ଦେଣ ହୋଇଥିବା ଯୋଗୁଁ ରାଜସ୍ଥାନ ପୁଲିସ ଅନୁଗୁଳର ପହଞ୍ଚି ପିଣ୍ଟୁକୁ ଖୋଜିଥିଲା । ହେଲେ ପୁଣି ଥରେ ପୁଲିସକୁ ଚକମା ଦେଖାଇ ପିଣ୍ଟୁ ଫେରାର ହୋଇ ଯାଇଥିଲା । ଆଉ ଏବେ ଯାଏ ମଧ୍ୟ ସେ ଫେରାର ରହିଛି । ଛେଣ୍ଡିପଦା ଥାନାରେ ମଧ୍ୟ ପିଣ୍ଟୁ ନାମରେ ଏକ ମାମଲା ରହିଥିଲା । ଏଥିପାଇଁ ତାକୁ ଧରିବାକୁ ଅନେକ ଥର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ପୁଲିସ ତାକୁ ଧରିବାରେ ବିଫଳ ହୋଇଛି । ତେବେ ଏହି ଗଞ୍ଜେଇ ବେପାର କରି ପିଣ୍ଟୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଏଥିପାଇଁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁଗୁଳ ଏସଡ଼ିପିଓଙ୍କ ନେତୃତ୍ୱରେ ପିଣ୍ଟୁ ଘରେ ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା ସହ ପ୍ରାୟ ୬ ଟି ପାସ ବୁକ ଜବତ କରାଯାଇଛି । ଜବତ ପାସବୁକ ଗୁଡିକ ଯେଉଁ ବ୍ୟାଙ୍କର ସେହି ବ୍ୟାଙ୍କକୁ ଯାଇ ପୁଲିସ ଛାନଭିନ କରୁଛି । ଏହି ସବୁ ଆକାଉଣ୍ଟ ଗୁଡିକ ଫ୍ରିଜ କରାଯିବ । ଏହା ସହ ପିଣ୍ଟୁର ଥିବା ଘର , ସୁନା , ଏକ ଟ୍ରାକ୍ଟର , ଧାନ ଅମଳ ଯନ୍ତ୍ର , ମିନି ଟ୍ରକ ସମେତ , ପିକଅପ ଭ୍ୟାନ , କାର , ଟେଣ୍ଟ ହାଉସ ସାମଗ୍ରୀ , ଜମି ପଟା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଜବତ କରାଯାଇଛି । ଜବତ ସମ୍ପତ୍ତିର ମୂଲ୍ୟ ଆନୁମାନିକ ୨ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ତେବେ ଏ ନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ତଦନ୍ତ ଚାଲିଛି , ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଏସଡ଼ିପିଓ କହିଛନ୍ତି ।
What’s your Reaction?
+1
1
+1
2
+1
5
+1
1
+1
19
+1
1
+1
7