ବାରୁଆଁ ପାହାଡ଼ରେ ପୂର୍ବତଟ ରେଳପଥର ଲମ୍ୱା ଟନେଲ

ବାରୁଆଁ ପାହାଡ଼ରେ ପୂର୍ବତଟ ରେଳପଥର ଲମ୍ୱା ଟନେଲ

ଭୁବନେଶ୍ବର – ମାଇଲ ଖୁଣ୍ଟ ହାସଲ କରିଛି ପୂର୍ବତଟ ରେଳପଥ । ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ମଧ୍ୟରେ ଟନେଲର ବଡ ଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ ରେଳପଥକୁ ମିଳିଛି ଏକ ବଡ଼ ସଫଳତା । ଚାଲୁ ରହିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଅଞ୍ଚଳରେ ଚାଲୁ ରହିଥିବା ରେଳ ପ୍ରକଳ୍ପ କାମ ଶୀଘ୍ର ସାରିବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରାଥମିକତା ଦେଇଛି । ପୂର୍ବରୁ ଓଡ଼ିଶା ଗସ୍ତ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚାଲୁ ରହିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଅନ୍ୟାନ ସରକାରୀ ସଂସ୍ଥାଙ୍କ ସହ ସମନ୍ବୟ ରକ୍ଷା କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ୨୦୦୩-୦୪ ମସିହାରେ ମଞ୍ଜୁର ହୋଇଥିବା ୧୪୯.୭୮ କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ ନୂତନ ବ୍ରଡ଼ ଗଜ ରେଳ ଲିଙ୍କ ପ୍ରକଳ୍ପ ଏହାରି ଭିତରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି । ସୁନାଖଣି ଓ ସମଲ ଷ୍ଟେସନ୍ ମଧ୍ୟରେ ଥିବା ବାରୁଆଁ ପାହାଡ଼ରେ ୮୪୦ ମିଟର ଲମ୍ୱା ଟନେଲର ବଡ ଧରଣର କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ନିର୍ମାଣ ସଂସ୍ଥାର ଇଞ୍ଜିନିୟରିଂ ଦଳ ଅନ୍ତିମ ବିସ୍ଫୋରଣ କରି କାର୍ଯ୍ୟ ସମ୍ପାଦନ କରିଛି । ଏହି ଟନେଲ ଖୋର୍ଦ୍ଧା ରେଳ ଡିଭିଜନର ସବୁଠାରୁ ବଡ ଟନେଲ ହୋଇଥିବା ବେଳେ ପ୍ରାୟ ୧୨ ବର୍ଷ ମଧ୍ୟରେ ନିର୍ମାଣ କରା ଯାଇଥିବା ଟନେଲ ମଧ୍ୟରେ ଓଡିଶାର ପ୍ରଥମ ଟନେଲ ବୋଲି କୁହା ଯାଉଛି । ଡିସେମ୍ବର ୨୦୧୯ରେ ତାଳଚେର ଏବଂ ବିମଳାଗଡ ମଧ୍ୟରେ ଚାଲିଥିବା ନୂତନ ରେଳ ଲାଇନରେ ତାଳଚେର ଷ୍ଟେସନ ଏବଂ ସୁନାଖଣି ରେଳ ଷ୍ଟେସନ ମଧ୍ୟରେ ୨୦ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସମୁଦାୟ ପ୍ରକଳ୍ପ ଦୈର୍ଘ୍ୟ ୧୪୯.୭୮ କିଲୋମିଟର ମଧ୍ୟରୁ ପ୍ରାୟ ୭୯ କିଲୋମିଟର ଅନୁଗୁଳ ଜିଲ୍ଲାରେ, ୩୨ କିଲୋମିଟର ଦେବଗଡ଼ରେ ଏବଂ ୩୯ କିଲୋମିଟର ଦୈର୍ଘ୍ୟ ସୁନ୍ଦରଗଡ଼ ମଧ୍ୟରେ ଅଛି । ଏହି ପ୍ରକଳ୍ପ ଶେଷ ପରେ ତାଳଚେର ଓ ରାଉରକେଲା ମଧ୍ୟରେ ଦୂରତା ପ୍ରାୟ ୧୨୬ କିଲୋମିଟର ହ୍ରାସ ପାଇବ । ଏହି ରେଳ ଲାଇନ ଦ୍ବାରା ବନ୍ଦରଗୁଡିକ ମାଧ୍ୟମରେ ଗୁଣାତ୍ମକ ଲୁହାପଥର ବିଦେଶକୁ ରପ୍ତାନିରେ ସାହାଯ୍ୟ କରିବ । ଏହି ପ୍ରକଳ୍ପ ଦ୍ବାରା ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇପାରିବ ।

What’s your Reaction?
+1
3
+1
0
+1
0
+1
0
+1
5
+1
0
+1
1

Leave a Reply