ଦୁର୍ଘଟଣାରେ ଡେଲିଭରି ବୟ ମୃତ

ଦୁର୍ଘଟଣାରେ ଡେଲିଭରି ବୟ ମୃତ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଗଡିଆରୁ ନୂଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଭଟ୍ଟପାଳ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ ମୋଟରସାଇକେଲ ବାଡେଇ ହେବା ଫଳରେ ଭଟ୍ଟପାଳ ଗ୍ରାମର ପ୍ରଶାନ୍ତ ମାଝୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଭଟ୍ଟପାଳର ପ୍ରଶାନ୍ତ ମାଝୀ କିଛି ମାସ ହେବ ଛେଣ୍ଡିପଦାରେ ଥିବା ଏକ ଘରୋଇ ସଂସ୍ଥାରେ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ଦିନ ସେ କାମ ସାରି ଛେଣ୍ଡିପଦା ରୁ ନିଜ ଘରକୁ ରାତି ୯ଟାରେ ଫେରୁଥିବାବେଳେ ଖମାର ରୁ ନୂଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଭଟ୍ଟପାଳ ଗ୍ରାମ ନିକଟସ୍ଥ  ରାସ୍ତାକଡରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ ପିଟି ହେବା ସହିତ ରାସ୍ତାକଡର ବୁଦା ଭିତରେ ପଡିଯାଇଥିଲେ । ଫଳରେ ରାତିରେ ଦୁର୍ଘଟଣା ସମ୍ପର୍କରେ କେହି ଖବର ପାଇ ନଥିଲେ । ଅପରପକ୍ଷେ ପରିବାର ଲୋକମାନେ ରାତି ୯ଟା ବେଳେ ପ୍ରଶାନ୍ତଙ୍କ ସହିତ କଥା ହୋଇଥିଲେ ଏବଂ ସେ ୫ ମିନଟ ମଧ୍ୟରେ ଘରେ ପହଁଚିବି ବୋଲି ମଧ୍ୟ କହିଥିଲେ । ରାତିରେ ଫେରିବା ବିଳମ୍ବ ହେବା ଦେଖି ପରିବାର ଲୋକ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଆଜି ସକାଳେ ପ୍ରଶାନ୍ତଙ୍କ ମୃତ ଦେହ ଗ୍ରାମ ନିକଟରେ ପଡିଥିବା ନେଇ ପରିବାର ଲୋକ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଗଡିଆ ଫାଣ୍ଡିକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଓ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

 

What’s your Reaction?
+1
0
+1
0
+1
0
+1
1
+1
0
+1
0
+1
5

Leave a Reply