ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତରେ ଅବସ୍ଥିତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଆଜି ପଞ୍ଚାୟତର ବଲଙ୍ଗ, ତଳସିରା, ଲବଙ୍ଗୀ, ଜୁକୁବୁ, ପମ୍ପାସର ଆଦି ଗ୍ରାମର ପାଞ୍ଚଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରବଳ ଶୀତ ସତ୍ତ୍ୱେ ଜଙ୍ଗଲଘେରା ଏହି ଗାଁଗୁଡିକରୁ ମହିଳା ଓ ପିଲାଛୁଆଙ୍କ ସମେତ ଗ୍ରାମବାସୀମାନେ ଅନୁଗୁଳ ଷ୍ଟାଡିୟମ୍‌ରେ ପହଞ୍ଚି ସେଠାରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ସଭା ଅନୁଷ୍ଠିତ କରିଥିଲେ । ସେଠାରେ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ମାନସ ପାଳଙ୍କ ସମେତ ଦିବାକର ବେହେରା, ବାଦଲ ଦେହୁରୀ, ଦୁର୍ଯ୍ୟୋଧନ ଜେନା, ଆଲୋକଚାନ୍ଦ ସାହୁ, ଛାତ୍ରନେତା ନାରାୟଣ ନାୟକ ଏବଂ ସ୍ଥାନୀୟ ସରପଞ୍ଚ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ବିଦ୍ୟାଳୟ ଗୃହ ନିର୍ମାଣ କରୁଛନ୍ତି କିନ୍ତୁ ଶିକ୍ଷକ ନଥିବାରୁ ଶିକ୍ଷାଦାନ ହୋଇପାରୁନାହିଁ । ବିଶେଷକରି ବଲଙ୍ଗ ପଞ୍ଚାୟତ ପାହାଡ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବନ୍ୟଜନ୍ତୁଙ୍କ ଦୌରାତ୍ମ୍ୟ, ମୋବାଇଲ୍‌ ଟାୱାର ନାହିଁ, ରାସ୍ତାଘାଟ ଶୋଚନୀୟ । ଅନ୍‌ଲାଇନ୍ କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାବେଳେ ବିଦ୍ୟାଳୟରେ ଥିବା ଶିକ୍ଷକମାନଙ୍କ ମଧ୍ୟରୁ ଗୋଟିଏ ପରେ ଗୋଟିଏ ଶିକ୍ଷା ବିଭାଗ ଡେପୁଟେସନରେ ନେଇ ଯାଉଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଜଣେ ଶିକ୍ଷକଙ୍କର ଡେପୁଟେସନ୍ ରଦ୍ଦ କରି ପୁନଃ ଅପସ୍ଥାପିତ କରିବା ସହ ଅନ୍ୟଜଣେ ଶିକ୍ଷକଙ୍କୁ ଗୁରୁବାର ଠାରୁ ନିଯୁକ୍ତ କରି ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ବିକ୍ଷୋଭରୁ ଓହରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply