ଚୋରି କରିନେଲେ ବଲେରୋ – ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିବା ବେଳେ ଉଦ୍ଧାର କଲା ପୁଲିସ

ଚୋରି କରିନେଲେ ବଲେରୋ – ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିବା ବେଳେ ଉଦ୍ଧାର କଲା ପୁଲିସ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହିଠାରୁ ୩ ତାରିଖ ରାତିରେ ଚୋରି ହୋଇଥିବା ଏକ ବଲେରୋ ଗାଡିକୁ ଠାବ କରିଛି ଛେଣ୍ଡିପଦା ପୁଲିସ ତେବେ ଏହି ଚୋରି ବଲେରୋ ଗାଡି ଆଉ ଚାଲିବା ଅବସ୍ଥାରେ ନଥିବା ବେଳେ ଏହାର ଖଣ୍ଡବିଖଣ୍ଡିତ ଯନ୍ତ୍ରାଂଶକୁ କଟକ ଜିଲ୍ଲା ଜଗତପୁରର ଏକ କବାଡି ଦୋକାନରୁ ଉଦ୍ଧାର କରି ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଦ୍ୱୟ ହେଲେ ଭଦ୍ରକ ଧାମନଗର ଅଞ୍ଚଳର ଶଶାଙ୍କ କୁମାର ସାହୁ ଓ କଟକ କିଶନନଗର ଅଞ୍ଚଳର ପ୍ରଦୀପ୍ତ କୁମାର ମହାନ୍ତୀ । ସୂଚନା ଅନୁସାରେ ଗତ ୩ ତାରିଖ ସକାଳୁ ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟରାଜପଥର ଶିମିଳିସାହି ଠାରେ ରାସ୍ତା ପାଶ୍ୱର୍ରେ ଏକ ବଲେରୋ ଗାଡି (ନଂ-ଓଆର୦୬ଏଚ,୮୬୧୨) ଠିଆ ହୋଇଥିଲା । କିନ୍ତୁ ବହୁ ସମୟ ଧରି ବଲେରୋ ଗାଡିରେ କୌଣସି ବ୍ୟକ୍ତି ନଥିବା ଜଣାପଡିଥିଲା । ତେବେ କେହି ବଲେରୋ ଗାଡିକୁ ଛାଡି କୌଣସି କାର୍ଯ୍ୟରେ ଯାଇଥିବା ଜନସାଧାରଣ ସନ୍ଦେହ କରିଥିଲେ । କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଗାଡି ପାଖକୁ କେହି ନଆସିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ଗାଡିକୁ ଜାଞ୍ଚ କଲା ପରେ ଏହା ଏକ ଚୋରି ଗାଡି ହୋଇଥିବା ସନ୍ଦେହ କରି ଗାଡିକୁ ଜବତ କରି ଘଟଣାର ତଦନ୍ତ କରିଥିଲା । କିନ୍ତୁ ସେହି ସ୍ଥାନରୁ ଚୋର ମାନେ ଉକ୍ତ ଗାଡିକୁ ଛାଡି ଦେଇ ଶିମିଳିସାହିର ଅଜିତ କୁମାର ସାହୁଙ୍କ ଘରେ ରଖାଯାଇଥିବା ବଲେରୋ ଗାଡିକୁ ନେଇ ପଳାଇଥିଲେ । ଏନେଇ ଅଜିତ କମାର ସାହୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ଅଭିଯୋଗକୁ ଭିତି କରି ପୁଲିସ ଘଟଣାର ତଦନ୍ତ କରିବା ସହିତ ଗତ ମଙ୍ଗଳବାର ଜଗତପୁରରେ ଏକ କବାଡି ଦୋକାନରେ ଉକ୍ତ ଚୋରି ବଲେରୋ ଗାଡିକୁ କଟାଯାଇ ଖଣ୍ଡ ଖଣ୍ଡ କରାଯାଉଥିବା ଖବର ପାଇ ଛେଣ୍ଡିପଦା ପୁଲିସ ଉକ୍ତ କବାଡି ଦୋକାନରେ ଚଢ଼ାଉ କରିଥିଲା । ପୁଲିସ ଚଢ଼ାଉ କରି କଟା ହୋଇ ପଡିରହିଥିବା ଖଣ୍ଡ ବିଖଣ୍ଡିତ ଯନ୍ତ୍ରାଂଶକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇ କଟାଳୀଙ୍କୁ ଗିରଫ କରି ଛେଣ୍ଡିପଦା ଥାନାକୁ ଆଣିଥିଲା । ଦୁଇ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ ପଚରାଉଚରା ପରେ ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରା ଯାଇଛି । ଉକ୍ତ ଚୋରି ବଲେରୋର ଚୋର ଏବଂ କବାଡି ଦୋକାନର ମୁଖ୍ୟ ୨ଜଣ ବ୍ୟକ୍ତି ଫେରାର ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଧିରେନ କୁମାର ବେହେରା ପ୍ରକାଶ କରିଛନ୍ତି ।

 

What’s your Reaction?
+1
2
+1
0
+1
1
+1
0
+1
14
+1
0
+1
3

Leave a Reply