ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପାଲଲହଡା –  ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମ ରେ ନବ-ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରର ୪ ଜଣଙ୍କୁ ଆକ୍ରମଣ ହୋଇଛି । ରଜଡଙ୍ଗ ଗ୍ରାମରେ ସପ୍ତଦୋଳ ମେଳଣ ଯାତ୍ରା ଚାଲିଥିବା ବେଳେ ଘର ସମ୍ମୁଖରେ ଛିଡ଼ା ହୋଇଥିବା ସରପଞ୍ଚଙ୍କ ପରିବାରକୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଖମାର ଥାନା ରଜଡଙ୍ଗ ଗାଁରେ ସପ୍ତ ଦୋଳ ମେଳଣ ଯାତ୍ରା ଚାଲିଥିଲା । ଯାତ୍ରା ଦେଖିବା ପାଇଁ ନବ ନିର୍ବାଚିତ ସରପଞ୍ଚ ବିଦ୍ୟାଭାରତୀ ସାମଲଙ୍କ ସହ ସ୍ୱାମୀ ସଞ୍ଜୟ କୁମାର ସାମଲ, ତାଙ୍କ ଭାଇ ବ୍ରଜମୋହନ ସାମଲ, ଅନ୍ୟଜଣେ ଭାଇ ସରୋଜ ସାମଲ ଓ ଭାଉଜ ନିରୂପମା ସାମଲ ନିଜ ଘର ସାମ୍ନାରେ ଠିଆ ହୋଇଥିଲେ । ଠିକ୍‌ ଏହି ସମୟରେ ଦୁଇଟି ମୋଟରସାଇକେଲରେ ୫ ଜଣ ଯୁବକ ଆସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ । ଫଳରେ ସରପଞ୍ଚଙ୍କ ପରିବାରର ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଖବର ପାଇ ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି I ତେବେ ରାଜନୈତିକ ଶତୃତା କି ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗାଁ ରେ ପୁଲିସ ମୁତୟନ କରା ଯାଇଛି ।

What’s your Reaction?
+1
0
+1
2
+1
2
+1
0
+1
4
+1
0
+1
0

Leave a Reply