ରାଷ୍ଟ୍ରୀୟ ନବବର୍ଷ ପାଳିତ

ରାଷ୍ଟ୍ରୀୟ ନବବର୍ଷ ପାଳିତ

ଅନୁଗୁଳ  – ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଅଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଦଭବନଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଗୋବର୍ଦ୍ଧନ ମଠ ପୂରୀ ସନାତନ ସନ୍ଥ ସମିତିର ସଂଯୋଜକ ସ୍ବାମୀ ସଚ୍ଚିଦାନନ୍ଦ ମହାରାଜା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅନୁଷ୍ଠିତ ଧର୍ମସଭାକୁ ଉଦଘାଟନ କରିଥିଲେ । ନବବର୍ଷ ପାଳନ ସମିତିର ଅଧ୍ୟକ୍ଷ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧର୍ମସଭାରେ ନବବର୍ଷ ପାଳନ ସମିତିର ଉପାଧ୍ୟକ୍ଷ ଡଃ ରୋହିତ କୁମାର ଦାଶ ମଞ୍ଚ ସଂଯୋଜନା କରିଥିଲେ । ବିଶ୍ବର ସର୍ବପୁରାତନ ଏବଂ ବୈଜ୍ଞାନିକ କାଳଗଣନା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ବାସ୍ତବିକ ରାଷ୍ଟ୍ରୀୟ ନବବର୍ଷ ଓ ଏହା ଶାସ୍ତ୍ର ସମ୍ମତ ଅଟେ । ଏହି ତିଥି ସୃଷ୍ଟି ରଚନାର ପ୍ରଯମ ଦିନ ଅଟେ । ଆଜକୁ ୧୯୭ କୋଟି ୨୯ ଲକ୍ଷ ୪୯ ହଜାର ୧୨୨ ବର୍ଷ ପୂର୍ବେ ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ସୂର୍ଯ୍ୟଦୋୟ ସମୟରେ ବ୍ରହ୍ମାଙ୍କ ଦ୍ବାରା ସୃଷ୍ଟି ରଚନାର ଅୟମାରମ୍ଭ ହୋଇଥିଲା ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ତିଥିରେ ସତ୍ୟ ଯୁଗର ଆରମ୍ଭ ହୋଇଥିଲା, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ଦୁଖର ବିଷୟ ଆମେ ସମସ୍ତେ ଭାରତର ୯୯ ଭାଗ ଲୋକ ରାଷ୍ଟ୍ରୀୟ ନବବର୍ଷ ବା ନୂତନବର୍ଷ  ବିଷୟରେ ଅଜ୍ଞ ଅଟନ୍ତି । ଯାହା ଫଳରେ ରାଷ୍ଟ୍ରୀୟ ନବବର୍ଷ ପରିବର୍ତ୍ତେ  ଅତ୍ୟାଧୁନିକ ପାଶ୍ଚାତ୍ୟଭିମୁଖୀ ଇଂରାଜୀ ନବବର୍ଷକୁ ପାଳନ କରୁଅଛନ୍ତି ବୋଲି ସମିତି ପ୍ରକାଶ କରିଛନ୍ତି । ଏଣୁ ସମାଜକୁ ସମାଜକୁ ସନାତନ ଧର୍ମର ମୁଖ୍ୟ ସ୍ରୋତକୁ ସ୍ମରଣ କରାଇବା ଓ ତଦନୁସାରେ ଭବିଷ୍ୟତରେ ଧର୍ମ-ନିୟନ୍ତ୍ରିତ , ଶୋଷଣ ବିନିର୍ମୁକ୍ତ , ପକ୍ଷପାତ-ବିହୀନ , ସର୍ବହିତପ୍ରଦ ସୁସ୍ଥ ସମାଜ ସଂରଚନା ନିମନ୍ତେ ଇଂରାଜୀ ନବବର୍ଷକୁ ଛାଡି ରାଷ୍ଟ୍ରୀୟ ନବବର୍ଷ ପାଲନ କରିବାକୁ ସମିତି ଆହ୍ୱାନ ଦେଇଛି । ମୁଖ୍ୟ ଅତିଥି ସ୍ବାମୀ ସଚ୍ଚିଦାନନ୍ଦ ମହାରାଜା ତାଙ୍କ ବକ୍ତବ୍ୟରେ ସନାତନ ହିନ୍ଦୁ ଧର୍ମର ସୃଷ୍ଟିର ମାର୍ଗଦର୍ଶକ ଅଟେ, ଏହି ସତ୍ୟକୁ ଆମ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡିବ । କେଉଁ ଆବାହନ କାଳରୁ ଗୁରୁ ପରାମ୍ପରା ଓ ଆଧ୍ୟାତ୍ମ ବ୍ୟବସ୍ଥାରେ ଆମ ସମାଜ ପରିଚାଳିତ ହୋଇଆସୁଅଛି । ଭାରତବର୍ଷରେ ଜଗତଗୁର ଆଦି ଶଙ୍କରାଚାର୍ଯ୍ୟଙ୍କ ଠାରୁ ଏହି ଗୁରୁ ପରମ୍ପରାର ଆରମ୍ଭ ହୋଇ ଆସିଅଛି ବୋଲି ପ୍ରକାଶ କରିଥିଲେ । ଏହି ଧର୍ମସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ବାହିନୀ ଅନୁଗୁଳ ଶାଖାର ସଭାପତି ଲଳିତ ମୋହନ ଦାଶ ମଞ୍ଚାସୀନ ଥିବା ବେଳେ ପତଞ୍ଜଳି ଯୋଗ ସମିତି, ଆର୍ଯ୍ୟ ସମାଜ, ବିଶ୍ବ ହିନ୍ଦୁ ପରିଷଦ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ,ଗାୟତ୍ରୀ ପରିବାର , ଭାରତ ସ୍ବାଭିମାନ ନ୍ୟାସ , ଅନୁଗୁଳ ବ୍ରାହ୍ମଣ ମହାସଂଘ , ସତ୍ୟ ସାଇ ସଂଗଠନ , ଦିବ୍ୟ ଜୀବନ ସଂଘ, ବରିଷ୍ଠ ନାଗରିକ ମଞ୍ଚ,ହନୁମାନ ଭକ୍ତ ମଣ୍ତଳୀ,ରାମକୃଷ୍ଣ ସଂଘ, ରାଧାକୃଷ୍ଣ ମନ୍ଦିର ସଂଘ ଓ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply