ଅନୁଗୁଳ – ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୧୨ ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ହୋମ ଯଜ୍ଞ ଆଦି କରାଯାଇଛି । ଖ୍ରୀଷ୍ଟିଆନ ପରିବାରର ସଦସ୍ୟଙ୍କୁ ଗଙ୍ଗା ଜଳ ସିଞ୍ଚନ କରି ପଞ୍ଚାମୃତ ସେବନ କରାଇ ପୁଣି ଥରେ ହିନ୍ଦୁ ଧର୍ମକୁ ଫେରାଇ ଅଣାଯାଇଛି । ହୋମ ଯଜ୍ଞ, ହେଉଛି ସୁଧି ସଂସ୍କାର କାର୍ଯ୍ୟକ୍ରମ ସହ ମନ୍ତ୍ର ଧ୍ବନୀରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିବା ବେଳେ ଗାଁର ଅନେକ ଲୋକ ଏକାଠି ହୋଇଥିଲେ । ଅନୁଗୁଳ ଜିଲ୍ଲା ପୋକ ତୁଙ୍ଗା ଗାଁରେ ଥିବା ଶୈବପୀଠ ରଣେଶ୍ଵର ମନ୍ଦିରରେ ଏହି ହୋମ ଯଜ୍ଞ ହୋଇ ଗାଁର ପ୍ରାୟ ୧୨ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ବହୁ ବରିଷ୍ଠ କର୍ମକର୍ତ୍ତା ଏହି କାର୍ଯ୍ୟକର୍ମରେ ଯୋଗଦେଇ ଧର୍ମ ପରିବର୍ତ୍ତନ କରିଥିବା ଲୋକମାନଙ୍କୁ ସ୍ଵାଗତ କରିଛନ୍ତି । ବିଧି ଅନୁସାରେ ସୁଧି ସଂସ୍କାର କରାଯାଇ ସମସ୍ତ ରୀତିନୀତି ସମ୍ପର୍ଣ୍ଣ ହେବା ପରେ ହିନ୍ଦୁ ଧର୍ମରେ ସାମିଲ ହୋଇଛନ୍ତି ଏହି ୧୨ ପରିବାର । କିଛି ଲୋକଙ୍କ ପ୍ରଲୋଭନର ଶିକାର ହୋଇ ସେମାନେ ଧର୍ମ ବଦଳାଇ ଥିବାରୁ ଦୁଃଖ ପ୍ରକାଶ କରିବା ସହ ପୁଣି ଥରେ ମୂଳ ଧର୍ମକୁ ଫେରି ଆସିଥିବାରୁ ବେଶ ଖୁସି ଥିବା କହିଛନ୍ତି । ଗରିବ ଶ୍ରେଣୀର ସୁଯୋଗ ନେଇ କେତେକ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ଏହି ପରିବାର ସଦସ୍ୟମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରାଇଥିଲେ । ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ଏମାନେ ପେଟ ପୋଷନ୍ତି । ତେବେ ଏହି ସୁଯୋଗକୁ ଦେଖି କେତେକ ଖ୍ରୀଷ୍ଟିଆନ ତାଙ୍କ ପରିବାର ପାଖରେ ପହଞ୍ଚି ତାଙ୍କୁ ଚାଉଳ, ଡାଲି, ଚିନି ସହ ଅନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ରୋଗରେ ପୀଡିତ ଥିବା ପରିବାର ସଦସ୍ୟଙ୍କୁ କିଛି ଔଷଧ ମଧ୍ୟ ଦେଇଥିଲେ । ସେମାନଙ୍କୁ ବଡ଼ ବଡ଼ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କୁହା ଯାଇଥିଲା । ଏଭଳି ଭାବରେ ସେମାନଙ୍କୁ ଭବିଷ୍ୟତରେ ମଧ୍ୟ ସାହାଯ୍ୟ କରିବେ କହି ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରିଦେଇଥିଲେ।ପରବର୍ତ୍ତୀ ସମୟରେ ରୋଗରେ ପୀଡିତ ଥିବା ଲୋକଙ୍କ ରୋଗ ଭଲ ହେଲା ନାହିଁ କି ସେମାନେ କୌଣସି ଲାଭ ପାଇଲେ ନାହିଁ । ଫଳରେ ସେମାନେ ସେମାନଙ୍କ ମୂଳ ଧର୍ମକୁ ଫେରିବାକୁ ଚାହିଁଥିଲେ। କିନ୍ତୁ ପ୍ରତିଶୃତି ଓ ପ୍ରଲୋଭନ ଅନୁଯାୟୀ ଏହି ଗରିବ ଲୋକଙ୍କୁ କୌଣସି ସହାୟତା ମିଳିନଥିଲା । ଅନ୍ୟପଟେ ଗାଁର ସାହି ପଡିଶା ଓ ଅନ୍ୟ ଗ୍ରାମବାସୀଙ୍କ ଠାରୁ ମଧ୍ୟ ସେମାନେ କୌଣସି ସହଯୋଗ ପାଇ ନଥିଲେ । ଫଳରେ ବାଧ୍ୟ ହୋଇ ସେହି ପରିବାର ଗୁଡିକ ପୁଣିଥରେ ମୂଳ ଧର୍ମକୁ ଫେରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ସେମାନଙ୍କ ଅନୁରୋଧ ଯୋଗୁ ଏଭଳି ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ସେମାନେ ହିନ୍ଦୁ ଧର୍ମକୁ ଫେରିଥିଲେ ।
What’s your Reaction?
+1
3
+1
+1
1
+1
+1
8
+1
+1
1