ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା

ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ମେଡିକାଲ କଲେଜ କୋଠା ନିର୍ମାଣ କାମ ଦୀର୍ଘ ଦିନ ହେଲା ସରିଲାଣି । ହେଲେ ଆଜି ଯାଏଁ ନାମଲେଖା ଆରମ୍ଭ ହୋଇ ପାରୁନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ଆଉ ଚଳିତ ବର୍ଷ ନାମଲେଖା ଏବଂ ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବିରେ ଆଜି(ଶୁକ୍ରବାର) ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜର ନୂତନ କୋଠା ମଧ୍ୟ ଲୋକାର୍ପିତ ହୋଇସାରିଛି । କିନ୍ତୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇପଡ଼ିଛି । ଏହାକୁ ଚଳାଇବା ପାଇଁ ସରକାର ଓ MCL ମଧ୍ୟରେ ତାଳମେଳ ଅଭାବରୁ ଅନୁଗୁଳ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ମେଡ଼ିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍ସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା ଏହାକୁ ତାଳଚେର ନେହେରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବାକୁ ନିଷ୍ପତ୍ତି ହେବା ପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ । ଏଠାରେ ୧୦୦ଟି ଆସନ ବିଶିଷ୍ଟ MBBS ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହେରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ମାତ୍ର ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ କି ନାମଲେଖା ହେଲା ନାହିଁ । ଏହାକୁ ବିରୋଧ କରି ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ତୁରନ୍ତ ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ କରାଯିବା ସହ ସରକାର ଏହାକୁ ପରିଚାଳନା କରିବାକୁ ଦାବି କରାଯାଇଛି ।

What’s your Reaction?
+1
0
+1
0
+1
0
+1
1
+1
3
+1
0
+1
0

Leave a Reply