ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର ବରିଷ୍ଠ ବିଜେଡି ନେତା ତଥା ଠିକାଦାର ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶିବରାମ ସାହୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରା ଯାଇଛି । ଶିବରାମ ପ୍ରତିଦିନ ଭଳି ଗାଧୋଇ ସୂର୍ଯ୍ୟପୂଜା କରିବା ପାଇଁ ଘର ବାଡ଼ିରେ ତୁଳସୀ ପତ୍ର ତୋଳୁ ଥିବା ବେଳେ କଇଁଫୁଲିଆ ସାହିର ଦୀପକ ବେହେରା ନାମକ ଜଣେ ବ୍ୟକ୍ତି ପଛରୁ ହଠାତ ଟାଙ୍ଗିଆରେ ଆକ୍ରମଣ କରିଥିଲା । ବେକ ମୂଳକୁ ଚୋଟ ପକାଇବା ଦ୍ୱାରା ଶିବ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦଉଡି ଆସିବା ବେଳେ ଦୀପକ ଆକ୍ରମଣ କରି ଦଉଡି ପଳାଇବାର ଦେଖିଥିଲେ । ଘଟଣା ବିଜୁଳି ବେଗରେ ପ୍ରଘଟ ହେବା ପରେ ଶହ ଶହ ଲୋକ ଉତ୍ତେଜିତ ହୋଇ ଥାନା ଆଗରେ ହୋ ହାଲ୍କା କରିଥିଲେ । ଶିବରାମ ପୂର୍ବରୁ ଦୁଇ ଦୁଇ ଥର ସରପଞ୍ଚ ଓ ଥରେ ସମିତି ସଭ୍ୟ ହୋଇଥିଲେ । ସେ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୀପକକୁ ଅଟକ ରଖି ପଚରା ଉଚରା କରିଥିଲା । ପଚରାଉଚୁରା ବେଳେ ଦୀପକ ହତ୍ୟାକାଣ୍ଡ ଭିଆଇ ଥିବା ମାନି ଯାଇଥିଲା । ତେବେ ସେ କାହିଁକି ହତ୍ୟା କଲା ସେ ନେଇ କୌଣସି ଏସପିଏସଟି ସୂଚନା ମିଳିପାରି ନାହିଁ । ଟଙ୍କା ନେଣଦେଣ , କିମ୍ବା ରାଜନୈତିକ ଶତୃତା ହତ୍ୟାକାଣ୍ଡର କାରଣ ବୋଲି ସନ୍ଦେହ କରା ଯାଉଛି ।
What’s your Reaction?
+1
+1
+1
+1
+1
+1
+1