ଗାଁ ମୁଣ୍ଡରେ ହାତୀପଲଙ୍କୁ ଜଗିବେ ମହୁମାଛି

ଗାଁ ମୁଣ୍ଡରେ ହାତୀପଲଙ୍କୁ ଜଗିବେ ମହୁମାଛି

ଭୁବନେଶ୍ବର – ହାତୀ-ମଣିଷ ଲଢ଼େଇରେ‌ ଅଙ୍କୁଶ ଲଗାଇବା ପାଇଁ ନୂଆଁ ଯୋଜନା ଆରମ୍ଭ ହେବ । ହାତୀ ଗାଁମୁହାଁ ହେଲେ ସେମାନଙ୍କ ବାଟ ଓଗାଳିବେ ମହୁମାଛି । ଯାହା ଫଳରେ ହାତୀ ଆଉ ଗାଁ ଭିତରକୁ ସହଜରେ ପ୍ରବେଶ କରିପାରିବେ ନାହିଁ । ଲୋକେ ସୁରକ୍ଷିତ ରହିବା ସହ ଧନଜୀବନ କ୍ଷତି ହେବନାହିଁ । ଉତ୍ତରାଖଣ୍ଡ, କର୍ଣ୍ଣାଟକ ପରି ରାଜ୍ୟରେ ଏହି ପ୍ରକଳ୍ପ ସଫଳ ହେବା ପରେ ଓଡ଼ିଶାରେ ପ୍ରଥମଥର ଲାଗି ଅନୁଗୁଳ ଜିଲ୍ଲାରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ ହୋଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁ ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଛି । ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଅଧୀନ ଖଦି ଓ ଗ୍ରା‌ମୋଦ୍ୟୋଗ ଆୟୋଗ (କେଭିଆଇସି) ପୃଷ୍ଠପୋଷକତାରେ ଚାଲିଥିବା ଏହି ପ୍ରକଳ୍ପର ନାମ ରି-ହ୍ୟାବ୍‌(ରିଡ୍ୟୁସ୍‌ ଏଲିଫ୍ୟାଣ୍ଟ୍‌-ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ୍‌ ବିଜ୍‌) ରଖାଯାଇଛି । ଯୋଜନା ମୁତାବକ, ହାତୀପଲ ଯେଉଁ ରାସ୍ତା ଦେଇ ଗାଁ ଭିତରକୁ ଯାଉଛନ୍ତି, ସେହି ପ୍ରବେଶ ପଥରେ ମହୁମାଛି ବାକ୍ସ ଖଞ୍ଜାଯାଉଛି । ଉକ୍ତ ବାକ୍ସ ଭିତରେ ମହୁମାଛି ପାଳନ କରାଯିବ । ହାତୀପଲ ଯଦି ସେହି ବାଟ ଦେଇ ଯିବା ସମୟରେ ମହୁବାକ୍ସକୁ କୌଣସି ପ୍ରକାର ଆଘାତ ଦିଅନ୍ତି, ସେମାନେ ମହୁମାଛି ସହ ମୁହାଁମୁହିଁ ହେବେ । ମହୁମାଛିକୁ ଭୟ କରୁଥିବାରୁ ହାତୀପଲ ଗାଁକୁ ପଶିବା ପରିବର୍ତ୍ତେ ସେହିଠାରୁ ପଛକୁ ଫେରିଯିବେ । ହାତୀ ମଣିଷ ଲଢେଇ ଅନେକ ବର୍ଷା ହେଲା ଚାଲି ଆସୁଥିବା ବେଳେ ଏଥିରେ କେତେବେଳେ ହାତୀ ବଳି ପଡୁଛି ତ ଆଉ କେତେବେଳେ ମଣିଷ ଏହା ସହ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥା’ନ୍ତି । ଏଭଳି ସମସ୍ୟାର ସମାଧାନ କରିବାକୁ ରି-ହ୍ୟାବ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏହି ପ୍ରକଳ୍ପ ହାତୀ ଆକ୍ରମଣରୁ ଲୋକଙ୍କୁ କେବଳ ରକ୍ଷା କରିବ ନାହିଁ, ବରଂ ସ୍ବଳ୍ପ ଖର୍ଚ୍ଚରେ ଗ୍ରାମବାସୀ ଏଥିରୁ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ । ଏହାଦ୍ବାରା ହାତୀଙ୍କର ମଧ୍ୟ କୌଣସି କ୍ଷତି ହେବ ନାହିଁ । ଆଠମଲ୍ଲିକ ବନଖଣ୍ଡ ସହଯୋଗରେ କେଭିଆଇସି ପକ୍ଷରୁ ରି-ହ୍ୟାବ୍‌ ପ୍ରକଳ୍ପ ଗତକାଲି ଲକ୍ଷ୍ମୀପୁର ଓ ରାଠିପୁର ଗ୍ରାମରେ କାର୍ଯ୍ୟକାରୀ ହୋଇଛି । ମହୁମାଛି ଆକ୍ରମଣ ହାତୀଙ୍କ ଉପରେ କିଭଳି ପ୍ରଭାବ ପକାଉଛି, ତାହା ଉପରେ ନଜର ରଖିବା ଲାଗି ସିସିଟିଭି ଓ ଟ୍ରାପ୍‌ କ୍ୟାମେରା ଲଗାଯାଇଛି । ଯଦି ଏହି ପାଇଲଟ୍‌ ପ୍ରୋଜେକ୍ଟ ସଫଳ ହୁଏ, ରାଜ୍ୟର ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ଲଗାଇବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି ।

What’s your Reaction?
+1
1
+1
1
+1
0
+1
0
+1
6
+1
0
+1
0

Leave a Reply