ଅନୁଗୁଳ – ଜିଲ୍ଲାର ଅଧିକାଂଶ ସରକାରୀ ଜମି ଏବେ ଜବରଦଖଲକାରିଙ୍କ କବଜାରେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ ଜବରଦଖଲ କରି ଲାଭ କମାଉଛନ୍ତି ଜମି ମାଫିଆ ଓ ଜବରଦଖଲକାରୀ । ବହୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଏହାଦ୍ବାରା ସରକାରଙ୍କ ରାଜସ୍ବ କ୍ଷତି ହେଉଥିବାରୁ ଏବେ ଜିଲ୍ଲା ପ୍ରଶାସନ ଏ ଦିଗରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ଏଥିପାଇଁ ଜବରଦଖଲକାରୀଙ୍କ ଅକ୍ତିଆରରେ ଥିବା ଜମିରୁ ହଜାରେ ଏକର ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲା ପ୍ରଶାସନ ରାଜସ୍ବ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏ ନେଇ ଅନୁଗୁଳ ପୌରାଞ୍ଚଳଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ ଅଞ୍ଚଳରେ ଜମି ମାପଚୁପ ଆରମ୍ଭ ହୋଇ ଯାଇଛି । ଅନୁଗୁଳ ଜିଲ୍ଲାରେ ଥିବା ୮ଟି ତହସିଲ ଅଧୀନରେ ୭୬ଟି ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ସେହିପରି ୨ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଆଞ୍ଚଲ ପରିଷଦ ରହିଛି । ଜିଲ୍ଲାରେ ଖଣି ଖାଦାନ ଭରି ରହିଥିବାରୁ ଏଠାରେ ଜମିର ଚାହିଦା ଓ ମୂଲ୍ୟ ଅଧିକ । ଆର୍ଥିକ ଦୃଷ୍ଟିରୁ ଅନୁଗୁଳ ବେଶ ସମୃଦ୍ଧ ମଧ୍ୟ । ଜିଲ୍ଲା ତଥା ରାଜ୍ୟ ବାହାରର ହଜାର ହଜାର ଲୋକ ଏଠାକାର ବିଭିନ୍ନ ଶିଳ୍ପସଂସ୍ଥାରେ କାମ କରୁଥିବାରୁ ସେମାନେ ଅନୁଗୁଳର ସ୍ଥାୟୀ ବାସିନ୍ଦା ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେଣୁ ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ସରକାରୀ ଜମି ଦିନକୁ ଦିନ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି । ଜମି ମାଫିଆ , ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରୀ ଜମିକୁ ଅକ୍ତିଆର କରି ବାହାର ଲୋକଙ୍କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଅନେକ ଘର ନିର୍ମାଣ କରି ଭଡ଼ାରେ ଲଗାଉଛନ୍ତି । ଏମାନଙ୍କ ମଧ୍ୟରୁ କେତେଜଣ ବସ୍ତିବାସିନ୍ଦାଙ୍କ ଭୋଟକୁ ନିୟନ୍ତ୍ରଣ କରୁଥିବାରୁ ରାଜନେତାମାନଙ୍କ ଛତ୍ରଛାୟା ତଳେ ରହି ଅଧିକରୁ ଅଧିକ ସରକାରୀ ଜମିକୁ କବ୍ଜା କରିବାରେ ଲାଗିଛନ୍ତି । ତେବେ ବିଳମ୍ବରେ ହେଲେ ବି ଜିଲ୍ଲା ପ୍ରଶାସନର ନିଜର ଏବେ ଜବରଦଖଲକାରୀଙ୍କ ଉପରେ ପଡ଼ିଛି । ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏହାକୁ ଗମ୍ଭୀରତାର ସହ ନେଇ ଚଳିତ ମାସ ମଧ୍ୟରେ ୧୦୦୦ ଏକର ଜବରଦଖଲ ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଅନୁଗୁଳ ସହରରେ ୧୦୦ ଏକର ଜମି ପ୍ରଥମେ ଜବରଦଖଲମୁକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଇତିମଧ୍ୟରେ ଜମି ମାପଚୁପ ମଧ୍ୟ ଆରମ୍ଭ ହୋଇଯାଇଛି । ଅନୁଗୁଳ ସହରରେ ୫୦ ଏକର ଓ ବ୍ଲକ ଅଞ୍ଚଳ ଗୁଡ଼ିକରେ ୨୦ରୁ ୩୦ ଏକର ଲେଖାଏ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ଚିହ୍ନଟ ହୋଇସାରିଥିବା ସୂଚନା ମିଳିଛି । ତେବେ ହଠାତ୍ ଜିଲା ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନ ଜମି ମାଫିଆମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।
What’s your Reaction?
+1
21
+1
6
+1
3
+1
5
+1
186
+1
17
+1
9