ଚଷା ପୁଅରୁ ଆନ୍ତର୍ଜାତୀୟ ଆଥଲେଟ୍‌

ଚଷା ପୁଅରୁ ଆନ୍ତର୍ଜାତୀୟ ଆଥଲେଟ୍‌

ଅନୁଗୁଳ – ମୁଣ୍ଡରେ ଠେକା ହାତରେ ଦ୍ବିପହରର ଖାଇବା ମୁଣି । କଳା ଛତାଟେ ଧରିଲେ ଚଳୁଥିଲା , ନହେଲେ ନାହିଁ । କରଡାଗାଡିଆଠାରୁ ବିଲର ଦୂରତା ଥିଲା ୩ କିଲୋମିଟର । ସୂର୍ଯ୍ୟ ଉଇଁବା ଦେଖି ଯାଉଥିଲେ , ଫେରୁ ଫେରୁ ମୁହଁ ସଞ୍ଜ ଅନ୍ଧାର ହୋଇଯାଉଥିଲା । ବିବାହର ୩ ବର୍ଷ ପରେ ନୀଳମଣିଙ୍କ ମୁଣ୍ଡରେ ଖେଳିବା ଭୂତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କିନ୍ତୁ ନୀଳମଣି ଥିଲେ ଜିଦରେ ଅଟଳ । ଦୌଡିଲେ … । ଦୈଡର ବେଗ ଏତେ ଦୃତ ଥିଲା କି ଚାଷୀ ଜୀବନ କେତେବେଳେ ଆଥଲେଟ୍ ର ଶୃଙ୍ଖଳାରେ ବାନ୍ଧି ହୋଇଗଲା ଜଣାପଡ଼ିଲା ନାହିଁ । ଜୀବନର ଆଙ୍ଗୁଳି ଧରି ବାଟ ବଦଳାଇଥିବା ୫୩ ବର୍ଷୀୟ ନୀଳମଣି ଦାସ ଆଜି ଅନ୍ୟମାନଙ୍କ ପାଇଁ ଆଦର୍ଶ । ଯେ କି ଅନେକ ପ୍ରତିଯୋଗିତାରେ ଭାଗ ନେବା ସହ ପଦକ ହାସଲ କରିଛନ୍ତି । ନୀଳମଣି ଦୀର୍ଘ ୧୭ ବର୍ଷ ଧରି ରାଜ୍ୟର ବିଭିନ୍ନ ଆଥଲେଟିକ୍ ମିଟ୍‌ରେ ଅଂଶ ଗ୍ରହଣ କରିଆସୁଛନ୍ତି ।

୩୨ ବର୍ଷ ବୟସ ପର୍ଯ୍ୟନ୍ତ ଚାଷ କାମ କରୁଥିବା ନୀଳମଣି ଖେଳପ୍ରିୟ ଥିଲେ । ଦୈନନ୍ଦିନ ଚାଷ କାମ ଶେଷ କରି ସନ୍ଧ୍ୟାରୁ ଟିଭି ପାଖରେ ବସି ଯାଉଥିଲେ । ଯେଉଁ ଖେଳ ହୋଇଥାଉ ନା କାହିଁକି ସବୁ ଦେଖୁଥିଲେ । ଏଭଳି ପରିସ୍ଥିତିରେ ହଠାତ୍ ଗୋଟିଏ ଦିନ ନିଜକୁ ଖେଳାଳି ଭାବେ ପରିଚିତ କରାଇବାକୁ ତାଙ୍କ ମୁଣ୍ଡରେ ବୁଦ୍ଧି ଜୁଟିଲା । ବାସ୍ ତା ପରେ ଆରମ୍ଭ କରିଦେଲେ ଦୌଡକୁଦ । ଏମିତି ବି ଅନେକ ଥର ହୋଇଛି କି , ଚାଷ ତଥା ଘର କାମ ଛାଡି ପଡିଆକୁ ଯାଇ ଦୌଡୁଥିଲେ । ୩୨ ବର୍ଷ ବୟସରେ ଦୌଡାଦୌଡି କରିବାର ଅର୍ଥ ନ ବୁଝିପାରି ପରିବାର ସଦସ୍ୟ ବିରକ୍ତ ହେଉଥିଲେ ସିନା ନୀଳମଣିଙ୍କ ଉପରେ ତାର କୌଣସି ପ୍ରଭାବ ପଡ଼ିନଥିଲା । ଏମିତି ଦୀର୍ଘ ବର୍ଷ ଅନୁଗୁଳ ଷ୍ଟାଡିୟମରେ ଅଭ୍ୟାସ କରିବା ପରେ ଦୌଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ । ଚାଲିବା ଷ୍ଟାଇଲ , ଫୁଟ୍ ଫଲ ପରି ବିଭିନ୍ନ ବୈଷୟିକ ଜ୍ଞାନ ହାସଲ କରିବାରେ ସେ କାହାରି ସାହାଯ୍ୟ ଲୋଡିନଥିଲେ । ନିଜ ତୃଟି ନିଜେ ସୁଧାରି ଆଗକୁ ମାଡି ଚାଲିଲେ । ୨୦୦୧ ମସିହାରେ ଅଡସପୁର ଠାରେ ଅନୁଷ୍ଠିତ ରାଜ୍ୟ ଓପନ୍ ଆଥଲେଟିକ୍ ମିଟରେ ଅଂଶ ଗ୍ରହଣ କରିଥିଲେ । ସେଥିରେ ସେ ପ୍ରଥମ ହୋଇଥିଲେ । ଏହି ସଫଳତା ତାଙ୍କୁ ଜାତୀୟ ପ୍ରତିଯୋଗିତା ଲାଗି ସୁଯୋଗ ଦେଇଥିଲା । ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ଆଥଲେଟିକ୍ ମିଟରେ ଅଂଶ ଗ୍ରହଣ କରି ସେ ୬ଷ୍ଠ ସ୍ଥାନ ହାସଲ କରିଥିଲେ । ସେ ପ୍ରତିବର୍ଷ ରାଜ୍ୟ ଆଥଲେଟିକ୍ ମିଟରେ ଅଂଶ ଗ୍ରହଣ କରିଆସୁଛନ୍ତି । ଏହା ଛଡା ମାଷ୍ଟର ଆଥଲେଟିକ୍ ମିଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଛି । ଗତ କିଛି ବର୍ଷ ଧରି ସେ ଏହି ପ୍ରତିଯୋଗିତାର ୪୦ ରୁ ୫୦ ବୟସ ମଧ୍ୟରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରି ନିୟମିତ ଭାବେ ସ୍ୱର୍ଣ୍ଣ ପଦକ ଜିଣି ଆସିଛନ୍ତି । ରାଜ୍ୟ ପ୍ରତିଯୋଗିତାରେ ଉକୃଷ୍ଟ ପ୍ରଦର୍ଶନ କରି ୨ ଥର ଜାତୀୟ ମାଷ୍ଟର ଆଥଲେଟିକ୍ ମିଟରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ପାଇଛନ୍ତି । ୨୦୦୮ରେ ଗୌହାଟି ଓ ୨୦୦୯ରେ ହରିଆନାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇ ପଦକ ଗୌରବ ଆଣିଛନ୍ତି । ନିଜକୁ ଜଣେ ଆଥଲେଟ୍ ଭାବେ ଗଢିତୋଳିଥିବା ନୀଳମଣି ଏବେ ଅନୁଗୁଳ ଷ୍ଟାଡିୟମରେ ପିଲାଙ୍କୁ ତାଲିମ ଦେଉଛନ୍ତି । ନିଜ ସଫଳତା ନେଇ ନୀଳମଣି କୁହନ୍ତି , ଜୀବନର ଗତିପଥ ନିଜ ଉପରେ ହିଁ  ନିର୍ଭର କରେ । ଆମେ ଯେମିତି ଶୃଙ୍ଖଳାରେ ଜୀବନକୁ ଆଗକୁ ନେବାକୁ ଚାହିବା , ସେମିତି ଶୃଙ୍ଖଳିତ ହୋଇ ଜୀବନ ଗଢି ଉଠିବ

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply