ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା ଜୋର ଧରିଥିଲା । ଯୁବତୀ ଘରୁ ନଯିବାରୁ ଶେଷରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ବିଧାୟକଙ୍କ ଘରୁ ଯୁବତୀଙ୍କୁ ଉଠାଇ ଆଣି ବୁଝାସୁଝା କରି ଘରକୁ ପଠାଇ ଦେଇଥିଲା । ତେବେ ବିଧାୟକଙ୍କ ଚୋରା ପୀରତି ଥିବ ଏବଂ ଏଥିପାଇଁ ଏଭଳି ହଟହଟା ହୋଇଥିବା ନେଇ ବାଟଦାଣ୍ଡରେ ସରଗରମ୍ ଆଲୋଚନା ହେଉଥିଲା । ତେବେ ଏହି ଘଟଣାରେ ବିଧାୟକ ଥାନାରେ ଯୁବତୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀ ଗତ ସୋମବାର ରାତିରେ ପାଲଲହଡା ବିଧାୟଙ୍କ ମୁକେଶ ପାଳଙ୍କ ଘରକୁ ଆସି ବିଧାୟକଙ୍କୁ ବିବାହ କରିବାକୁ ଜିଦ ଧରି ବସିଥିଲେ । ପରେ ରାତି ପ୍ରାୟ ଦୁଇଟାରେ ପୋଲିସ ବିଧାୟକଙ୍କ ଘରେ ପହଞ୍ଚି ଯୁବତୀ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ । ଏବଂ ପରେ ଏକ ଗାଡିରେ ବସାଇ ଘରକୁ ପଠାଇ ଦେଇଥିଲେ । ତେବେ ଏହି ଘଟଣାରେ ବିଧାୟକ ପାଲଲହଡା ଥାନାରେ କରିଥିବା ଅଭିଯୋଗ ଅନୁସାରେ ବିଧାୟକ ମୁକେଶ ପାଳଙ୍କ ଜଣେ ବନ୍ଧୁ ସମ୍ପୃକ୍ତ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ ଦେଇଥିଲେ । ତେବେ ଏହି ବିବାହ ପ୍ରସ୍ତାବକୁ ପରେ ଦେଖିବା ବୋଲି ବିଧାୟକ କହିଥିଲେ । ପରେ ସମ୍ପୃକ୍ତ ଝିଅ ବିଧାୟକଙ୍କ ନମ୍ବର ସଂଗ୍ରହ କରି ଫୋନ କରିଥିଲେ ଏବଂ ଉଭୟ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ତେବେ ଝିଅ , ବାରମ୍ବାର ଫୋନ କରିବାରୁ ବିଧାୟକ କୁଆଡେ ଏଥିରୁ ନିବୃତ୍ତ ରହିବାକୁ ଯୁବତୀଙ୍କୁ କହିଥିଲେ । ବିଧାୟକଙ୍କ ଠାରୁ ଏଭଳି ନାସ୍ତିବାଣୀ ଶୁଣି ସମ୍ପୃକ୍ତ ଯୁବତୀ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବା ସହ ବିବାହ ନକଲେ ଫସାଇଦେବା ଓ ରାଜନୈତିକ କ୍ୟାରିଆର ନଷ୍ଟ କରିଦେବ ବୋଲି ଧମକ ଦେଉଥିଲା ବୋଲି ବିଧାୟକ ମୁକେଶ ପାଳ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏପରିକି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ କର୍ମକର୍ତ୍ତା ଓ କର୍ମୀଙ୍କ ନମ୍ବର ସଂଗ୍ରହ କରି ତାଙ୍କୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ବିଧାୟକ । ଆଉ କୌଣସି ପ୍ରକାରେ ସଫଳ ନ ହେବାରୁ ସମ୍ପୃକ୍ତ ଯୁବତୀ ୨୫ ତାରିଖ ଅପରାହ୍ନ ୨ ତା ସମୟରେ ତାଙ୍କ ଘରକୁ ଆସି ଘର ଲୋକଙ୍କୁ ବାହା ନହେଲେ ଏଠାରୁ ଯିବି ନାହିଁ ବୋଲି ଜିଦ ଧରିଥିଲେ । ଆଉ ସେତେବେଳେ ବିଧାୟକ ଖମାରରେ ଏକ ସଭାରେ ଥିବା ବେଳେ ତାଙ୍କ ବାପା ତାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ବିଧାୟକ ଘରକୁ ଆସି ଯୁବତୀଙ୍କୁ ମନା କରିବା ସତ୍ବେ କାହିଁକି ଆସିଛ ବୋଲି ପଚାରିବାରୁ ତାଙ୍କୁ ଯୁବତୀ ଓଲଟା ଧମକ ଦେଇଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି । ଏଣୁ ବାଧ୍ୟ ହୋଇ ବିଧାୟକ ପୋଲିସକୁ ସୂଚନା ଦେବା ସହ ଆଇନର ଆଶ୍ରୟ ନେଇଥିଲେ ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ତେବେ ବିଧାୟକଙ୍କ ଏହି ଅଭିଯୋଗ ପରେ ଘଟଣାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି । କେବଳ ଫୋନରେ ଠାରେ ଦୁଇଥର କଥାବାର୍ତ୍ତା ହୋଇଗଲେ କେହି କଣ ଏମିତି କାଣ୍ଡ କରିପାରେ ବୋଲି ସାଧାରଣରେ ଫୁସୁରୁଫାସର ହେଉଛନ୍ତି ।
What’s your Reaction?
+1
+1
+1
+1
+1
+1
+1