ନୂଆ ରୂପ ନେବ ପରିତ୍ୟକ୍ତ ପୋଖରୀ – ପାଲଟିବ ସୌନ୍ଦର୍ଯ୍ୟର ଭଣ୍ଡାର

ନୂଆ ରୂପ ନେବ ପରିତ୍ୟକ୍ତ ପୋଖରୀ – ପାଲଟିବ ସୌନ୍ଦର୍ଯ୍ୟର ଭଣ୍ଡାର

ଅନୁଗୁଳ – ଅନୁଗୁଳ ସହରର ରୂପରେଖ ୨୦୨୩ ଏପ୍ରିଲ୍ ସୁଦ୍ଧା ବଦଳିଯିବ । ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିବ ଶିଳ୍ପ ରାଜଧାନୀ ଅନୁଗୁଳ । ଭଳିକି ଭଳି କଳାକୃତି ଓ ସୌନ୍ଦର୍ଯ୍ୟର ଉପାଦାନରେ ଆଖି ଖୋସି ହୋଇଯିବ । ଏବେ ସଦର ମହକୁମାରେ ହେଲ୍‌ଥ କରିଡର ନିର୍ମାଣ ସରିଛି । ସ୍ମାର୍ଟ୍ ପାର୍କ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ବ୍ଲାକ୍ ଡାଏମଣ୍ଡ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବିକାଶ ଧାରାରେ ଏବେ ପୁଣି ଯୋଡ଼ି ହୋଇଛି ସହରର ପରିତ୍ୟକ୍ତ ପୋଖରୀ ।

ଯେଉଁ ପୋଖରୀ ଅବହେଳିତ ହୋଇ ପଡ଼ିଥିଲା ତାହାକୁ ନୁଆଁ ରୂପ ଦେବାକୁ ପ୍ରଶାସନ ଅଣ୍ଟାଭିଡିଛି । ଜଗନ୍ନାଥ ମନ୍ଦିର ପାଦଦେଶରେ ଥିବା ମତ୍ସ୍ୟ ବିଭାଗର ୬ଟି ପୋଖରୀକୁ ଗୋଟିଏ ବିରାଟ ଜଳାଶୟରେ ପରିଣତ କରି ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ବୁ ପ୍ରିଣ୍ଟ ପ୍ରସ୍ତୁତି ସରିଥିବା ବେଳେ ଖୁବ ଶୀଘ୍ର କାମ ଆରମ୍ଭ ହୋଇ ଏପ୍ରିଲ୍ ୨୦୨୩ ଏପ୍ରିଲ ପହିଲା ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ୨୦୨୩ରେ ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂରିବ । ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି ।

ଅନୁଗୁଳ ସହରରେ କେତୋଟି ହାତ ଗଣତି ପୋଖରୀକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ପୋଖରୀ ଅବହେଳିତ ଅବସ୍ଥାରେ ରହିଛି । କିଛି ପୋଖରୀ ପୋତି ହୋଇ ଯାଇଥିବା ବେଳେ ଅନେକର ସତ୍ତା ହଜି ଗଲାଣି । ଆଉ କିଛି ପୋଖରୀ ଦଳରେ ଭରି ହୋଇ ପଡ଼ିଆର ଭ୍ରମ ସୃଷ୍ଟି କରୁଛି । ପୋଖରୀ ଗୁଡ଼ିକ କେବଳ ସୌନ୍ଦର୍ଯ୍ୟକରଣ ହେବନି , ବରଂ ସୌନ୍ଦର୍ଯ୍ୟକରଣରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ନାରଣ ସାଗର ସାମ୍ନାରେ ଅର୍ଥାତ୍ ଅନୁଗୁଳ କାଫେ ପଛପାର୍ଶ୍ବରେ ଥିବା ପୋଖରୀଠୁ ଆରମ୍ଭ କରି ସେହି ଅଞ୍ଚଳରେ ରହିଥିବା ୬ଟି ପୋଖରୀରେ ଆଖି ଝଲସା ସୌନ୍ଦର୍ଯ୍ୟକରଣ କରିବାକୁ ପ୍ରଶାସନ ଯୋଜନା କରିଛି । ଏହି ୬ଟି ପୋଖରୀକୁ ପ୍ରଶାସନ କ୍ରିଷ୍ଣା ସାଗରରେ ନାମିତ କରିଛି । ସମସ୍ତ ପୋଖରୀକୁ ଏକାଠି ଯୋଡ଼ି ଉନ୍ନତିକରଣ କରାଯିବ । ପୋଖରୀ କୂଳରେ ବିଭିନ୍ନ ଶୋ ’ ଗଛ ସାଙ୍ଗକୁ ପେଭର୍ ବ୍ଲକ୍‌ରେ ପାଦଚଲା ରାସ୍ତା ପ୍ରସ୍ତୁତ କରାଯିବ । ପୋଖରୀ ହୁଡାରେ ବସି ଭରପୂର ସୌନ୍ଦର୍ଯ୍ୟର ଆନନ୍ଦ ନେବାକୁ ଆକର୍ଷଣୀୟ ବେଞ୍ଚ ସ୍ଥାପନ କରାଯିବ । ଜଳାଶୟ ମଧ୍ୟରେ ଏକ ବିରାଟ ଫାଉଣ୍ଟେନ୍ କରାଯିବ । ଫାଉଣ୍ଟେନ୍ ବଂଶୀର ପ୍ରତିକୃତି କରାଯିବ । ରଙ୍ଗୀନ୍ ଆଲୋକରେ ସାରା ଜଳ ପ୍ରକଳ୍ପ ଝଲସିବ । ରାତିରେ ଚମକିବ ଜଳ ଭଣ୍ଡାର । ଯାହାକି ପର୍ଯ୍ୟଟକଙ୍କ ମନ କରିବ ବୋଲି ପ୍ରଶାସନ ଆଶା ପ୍ରକଟ କରିଛି । ଏହା ପୂର୍ଣ୍ଣାଙ୍ଗ ରୂପରେଖ ପାଇବା ପରେ କେବଳ ଅନୁଗୁଳ କାହିଁକି ପଡ଼ୋଷୀ ଜିଲ୍ଲାମାନଙ୍କରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ଏ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି , କ୍ରିଷ୍ଣା ସାଗରର ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର୍ ପ୍ରସ୍ତୁତ ଚାଲିଛି । ଏହାପୂର୍ବରୁ ସମସ୍ତ ପୋଖରୀର ପୁନରୁଦ୍ଧାର ଖୁବ୍‌ଶୀଘ୍ର ଆରମ୍ଭ ହେବ । ଏଥିରେ ପ୍ରାୟ ୨ କୋଟି ଖର୍ଚ୍ଚ ହେବ । ଡିପିଆର୍ ପ୍ରସ୍ତୁତ ପରେ ନୂଆ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ।

What’s your Reaction?
+1
3
+1
0
+1
1
+1
0
+1
52
+1
2
+1
0

Leave a Reply