ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ

ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ଦୁଇବର୍ଷ ତଳେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ରାୟ ମଙ୍ଗଳବାର ଜିଲ୍ଲା ଫାଷ୍ଟଟ୍ରାକୁ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି । ଆଡ୍‌ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର୍ ବହିଦାର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ବଡ଼କନ୍ତକୁଳ ଗ୍ରାମର ସୁଦର୍ଶନ ନାଏକକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୨୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରା ଯାଇଛି । ସୂଚନା ଅନୁସାରେ , ୨୦୨୦ ମସିହା ସେପ୍ଟେମ୍ବର ୨ ତାରିଖ ଦିନ ବଅଁରପାଳ ଥାନା ଅଞ୍ଚଳର ଜଣେ ଯୁବତୀ ତାଙ୍କ ଅପାଙ୍କ ସହିତ ଅନୁଗୁଳ ସହରକୁ ଆସିଥିଲେ । ବସଷ୍ଟାଣ୍ଡ ଠାରେ ଯୁବତୀଙ୍କୁ ଛାଡ଼ି ତାଙ୍କ ଅପା ବଜାରକୁ ଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ । ଯୁବତୀ ଜଣଙ୍କ ଏକୁଟିଆ ବସଷ୍ଟାଣ୍ଡରେ ବସି ରହିଥିଲେ । ଏହି ସମୟରେ ଅଭିଯୁକ୍ତ ସୁଦର୍ଶନ ତାଙ୍କ ନିକଟରେ ପହଞ୍ଚି ଯୁବତୀଙ୍କୁ ତାଙ୍କ ଘରେ ଛାଡ଼ିଦେବ ବୋଲି କହିଥିଲା । ଏକ ଅଟୋ ଆଣି ଯୁବତୀଙ୍କୁ ବସିବାକୁ କହିବା ପରେ ଯୁବତୀ ଜଣଙ୍କ ସୁଦର୍ଶନ କଥା ମାନି ଅଟୋରେ ବସିଥିଲେ । ମାତ୍ର ଅଟୋ ବଅଁରପାଳ ଆଡ଼କୁ ଯିବା ପରିବର୍ତ୍ତେ ବନ୍ତଳା ଆଡ଼କୁ ନେଇ ଯାଉଥିବା ବେଳେ ଯୁବତୀ ଜଣଙ୍କ ଏହାକୁ ବିରୋଧ କରିଥିଲେ । ସାମାନ୍ୟ କାମ ସାରି ବଅଁରପାଳ ଯିବା ବୋଲି ସୁଦର୍ଶନ ଯୁବତୀଙ୍କୁ ଭୁଲାଇ ଯୁବତୀଙ୍କୁ ନେଇ ନିଜ ଗ୍ରାମ ବଡ଼କନ୍ତକୂଳରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଜଙ୍ଗଲକୁ ନେଇ ଯାଇ ବଳାତ୍କାର କରିଥିଲା । ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଗୁଣ୍ଡ ହୋଇଯାଇଥିଲା । ଲୋକଙ୍କୁ ଦେଖି ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ଲୋକ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏନେଇ ଯୁବତୀ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ କେସ୍ ନଂ ୨୦୦ / ୨୦ରେ ଏକ ମାମଲା ରୁକୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ୍‌ କୋର୍ଟରେ ଚାଲିଥିବା ବେଳେ ମୋଟ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ପିଆର୍ ବହିଦାର ଅଭିଯୁକ୍ତ ସୁଦର୍ଶନଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍କୋଶଲ୍ ପବ୍ଲିକ୍ ପ୍ରୋସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
6
+1
1
+1
0

Leave a Reply